ଭୁବନେଶ୍ୱର(ରାଜ୍ୟକାହାଣୀ) ବଙ୍ଗୋପସାଗରରେ ଆସୁଛି ଭୀଷଣ ସାମୁଦ୍ରିକ ଝଡ଼। ସମ୍ଭାବ୍ୟ ବାତ୍ୟା ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ଅଧିକାଂଶ ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି। ତେବେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ରହିବ ନାହିଁ। ୨୭ରୁ ୨୯ ତାରିଖ ଯାଏ ଦକ୍ଷିଣ ଉପକୂଳରେ ଓ ୨୮ରୁ ୩୦ ତାରିଖ ଯାଏ ଆଭ୍ୟନ୍ତରରେ ପାଗ ମେଘୁଆ ରହିପାରେ । କୁହୁଡ଼ି ବି ଦୃଶ୍ୟମାନ ହେବ । ଉପକୂଳ ଓଡ଼ିଶାରେ ୨୨ରୁ ୨୪ ତାରିଖ ଯାଏ ସାମାନ୍ୟ କୁହୁଡ଼ି ଏବଂ ୨୭ରୁ ୨୯ ତାରିଖ ଯାଏ ହାଲୁକା ବର୍ଷା ସମ୍ଭାବନା ଅଛି । ଅନ୍ୟ ମଡେଲ ଅନୁସାରେ ବି ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବନି | ତେବେ ଏନସିଇପି-ଜିଏଫଏସ ସଂସ୍ଥା ଝଡ଼ ୨୬ ତାରିଖ ବେଳକୁ ଭୀଷଣ ବାତ୍ୟା ରୂପନେଇ ଦକ୍ଷିଣ ଶ୍ରୀଲଙ୍କା ଉପକୂଳ ଛୁଇଁପାରେ ଦର୍ଶାଇଛି। ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହୋଇ ୨୯ତାରିଖ ବେଳକୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳ ଆଡକୁ ମୁହାଁଇବ। ଏନସିୟୁଏମ(ଆର) ସଂସ୍ଥା ୨୬ରୁ ୨୭ ତାରିଖ ମଧ୍ୟରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଶ୍ରୀଲଙ୍କା ଏବଂ ଦକ୍ଷିଣ ତାମିଲନାଡୁ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ଥିବା ସ୍ପଷ୍ଟ କରିଛି। ଇସିଏମଡବ୍ଲ୍ୟୁଏଫ ମଡେଲ ସିଷ୍ଟମ ଗଭୀର ଅବପାତରେ ରହିବା ନେଇ ଆକଳନ କରିଛି। ୨୭ତାରିଖ ବେଳକୁ ବାତ୍ୟା ଶ୍ରୀଲଙ୍କା ଏବଂ ତାମିଲନାଡୁ ଆଡକୁ ମୁହାଁଇବା ସମ୍ଭାବନା ଥିବା ଆକଳନ କରିଛି।