ଭୁବନେଶ୍ୱର(ରାଜ୍ୟକାହାଣୀ) କାର୍ତ୍ତିକ ମାସ ପଞ୍ଚୁକରେ ବି ଆକାଶଛୁଆଁ ପିଆଜ ଦର। ଗତ ୧୫ ଦିନ ଭିତରେ କିଲୋ ପିଛା ପାଖାପାଖି ୩୦ ଟଙ୍କା ବଢ଼ିଲାଣି | ଗାଁରୁ ସହର ସବୁଠି ପିଆଜ ଦର ୪୦-୫୦ ଟଙ୍କାରୁ ଆସି ୭୦ ଟଙ୍କାରେ ପହଞ୍ଚିଲାଣି। ପଞ୍ଚୁକରେ ପିଆଜ ରସୁଣର ଚାହିଦା ସେତେ ଅଧିକ ନଥିବା ସତ୍ତ୍ୱେ ଏଭଳି ଅହେତୁକ ଦରବୃଦ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ପିଆଜ ଦର ବୃଦ୍ଧିକୁ ନେଇ ଗ୍ରାହକ ହନ୍ତସନ୍ତ । ବିଭିନ୍ନ ସ୍ଥାନରେ କିଲୋ ୮୦ ଟଙ୍କାରେ ପିଆଜ ବିକ୍ରୀ ହେଉଥିବା ବେଳେ ଏହାକୁ ନେଇ ଅସନ୍ତୋଷ ବଢୁଛି । ପିଆଜ ଦର ବୃଦ୍ଧି ଉପରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ନାସିକରେ ମଧ୍ୟ ପିଆଜ ଦର ଅଧିକ ରହିଛି ।
ନାସିକରେ ୪୫ ଟଙ୍କାରେ ପିଆଜ କେଜି ବିକ୍ରି ହେଉଛି । ସେଠୁ ଆସିଲେ ଏଠି ବିକ୍ରି ହେବ । ବାହାରେ ଦର ଉଚ୍ଚା ରହିଛି । ଆମର ଉତ୍ପାଦନ ଯେହେତୁ ନାହିଁ । ତେଣୁ ନାଫେଡ଼ ଜରିଆରେ ପିଆଜ କେଜି ପିଛା ୩୦ ଟଙ୍କାରେ ବିକିବାକୁ କୁହାଯାଇଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।ଉଲ୍ଲେଖଯୋଗ୍ୟ, ଓଡ଼ିଶା ବଜାରରେ ଗ୍ରାହକଙ୍କ ଚାହିଦା ପୂରଣ କରିବାକୁ ବାର୍ଷିକ ପ୍ରାୟ ୫ ଲକ୍ଷ ମେଟ୍ରିକ ଟନ ପିଆଜ ଦରକାର ପଡ଼େ। ମାସକୁ ହାରାହାରି ୪୦ ହଜାର ଟନ୍ରୁ ଅଧିକ ପିଆଜ ଖାଇଥାନ୍ତି ଓଡ଼ିଶାବାସୀ। ଆବଶ୍ୟକତା ଅନୁପାତରେ ଓଡ଼ିଶାରେ ପିଆଜ ଉତ୍ପାଦନ ବହୁତ କମ। ।