ଭୁବନେଶ୍ୱର(ରାଜ୍ୟକାହାଣୀ) କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ଡଙ୍ଗା କଥା ମନେପଡେ । ପୂର୍ଣ୍ଣିମା ବଡ଼ି ଭୋରରୁ ଡଙ୍ଗା ଭସାଇଥାନ୍ତି ଆବାଳ ବୃଦ୍ଧ ବନିତା । ଓଡ଼ିଆ ଜାତିର ସଂସ୍କୃତି, ପରମ୍ପରା ପ୍ରତୀକ ଏହି ଡଙ୍ଗାଭସା ପୂର୍ଣ୍ଣିମା। କିଏ କିଏ କଦଳୀ ପାଟୁଙ୍ଗାରେ ଡଙ୍ଗା ଭସାଇଥାନ୍ତି ତ ପୁଣି କିଏ ସୋଲ, କାଗଜ ଡଙ୍ଗା ଭସାଉଥିବା ଦେଖିବାକୁ ମିଳେ। ଆଉ ସେଥିପାଇଁ ଡ଼ଙ୍ଗା ତିଆରି କାମରେ ଲାଗି ପଡ଼ିଛନ୍ତି ଡ଼ଙ୍ଗା କାରିଗର। କିଏ ସୋଲରେ ରଙ୍ଗ ଦେଇ ଡ଼ଙ୍ଗା ତିଆରି କରୁଛି ତ ଆଉ କିଏ ରଙ୍ଗ ବେରଙ୍ଗ କାଗଜରେ ଅଠା ଲଗାଇ ଡ଼ଙ୍ଗା ତିଆରି କରିଛନ୍ତି। ସୋଲକୁ ହଂସ ଆକୃତିର କାଟି ଆଲ୍ପିନ୍, ଅଠା, ଜିଙ୍କ୍ ଦେଇ କରୁଥିବା ଡଙ୍ଗାରେ ଥାଏ ଅନେକ ଆଦର । ତେବେ ବିଶ୍ୱାସ ରହିଛି ଆଗ କାଳରେ ସାଧବମାନେ ସାତ ସମୁଦ୍ର ପାରି ହୋଇ ବୋଇତ ନେଇ ବାଣିଜ୍ୟ କରିବାକୁ ଯାଉଥିଲେ। ଆଉ ସେହି ପୁରୁଣା ସ୍ମୃତିକୁ ମନେରଖିବାକୁ ବୋଇତ ବନ୍ଦାଣ ଉତ୍ସବ କରାଯାଇଥାଏ। ଆଉ ଏକ ଲୋକକଥା ଅନୁସାରେ କାର୍ତ୍ତିକ ମାସରେ ଡଙ୍ଗା ଭସାଇବା ଦ୍ୱାରା କୋଟି ଜନ୍ମର ପୁଣ୍ୟ ମିଳିଥାଏ।