ଭିଡ଼ ନିୟନ୍ତ୍ରଣରେ ଫେଲ୍ ମାରିଲା ପ୍ରଶାସନ

ପୁରୀ(ରାଜ୍ୟକାହାଣୀ) ପ୍ରବଳ ଭିଡ଼, ଠେଲାପେଲା, ଆହତ, ଅସନ୍ତୋଷ।…..ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଘଟିଥିଲା ଏଭଳି ଅଘଟଣ। ହରି ଉତ୍ଛାପନ ଏକାଦଶୀରେ କାଳିଆ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା। ଜନସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ। କିନ୍ତୁ ଭିଡ଼ ନିୟନ୍ତ୍ରଣରେ ଏକପ୍ରକାର ଫେଲ୍ ମାରିଥିଲା ପ୍ରଶାସନ। ଆଉ ଆଜି ବି ସମାନ ଅବସ୍ଥା।

ପଞ୍ଚୁକର ଦ୍ୱିତୀୟ ଦିନରେ ବାଙ୍କଚୂଡ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉମାନେ। ଧର୍ମ ମାସ କାର୍ତ୍ତିକରେ କାଳିଆ ଦର୍ଶନ ପାଇଁ ବ୍ୟଗ୍ର ଭକ୍ତ। ସେପଟେ ପଞ୍ଚୁକ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ କେବଳ ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ତିନି ଦ୍ୱାରା ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଫଳରେ ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡିରେ ଭକ୍ତଙ୍କୁ ଅପେକ୍ଷା କରିବାକୁ ପଡୁଛି। ଯାହାକୁ ନେଇ ଗତକାଲି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୀର୍ଘ ସମୟର ଅପେକ୍ଷା ପରେ ସିଂହଦ୍ୱାର ଦେଇ ଅନେକ ଭକ୍ତ ଧସେଇ ପଶିଥିଲେ। ଫଳରେ ଠେଲାପେଲାରେ କିଛି ଭକ୍ତ ଆହତ ବି ହୋଇଛନ୍ତି।

ଧର୍ମ ମାସ କାର୍ତ୍ତିକରେ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ। ତେଣୁ ଭିଡ ନିୟନ୍ତ୍ରଣ ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ପ୍ରଶାସନର ଦାୟିତ୍ୱ। କିନ୍ତୁ ଚଳିତଥର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏପରିକି ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ବି ବିଶେଷ ବ୍ୟବସ୍ଥା ନାହିଁ। ଯାହାକୁ ନେଇ ସବୁ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ କହିଛି କାର୍ତ୍ତିକ ପୂର୍ଣ୍ଣିମା ପରେ ହେବ ନୂଆ ଦର୍ଶନ ବ୍ୟବସ୍ଥା।

Leave A Reply

Your email address will not be published.

five × 1 =