ଭୁବନେଶ୍ୱର(ରାଜ୍ୟକାହାଣୀ) କୋରାପୁଟର ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୫ ଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ମେଡିକାଲ ଅଧୀକ୍ଷକ। ଆସନ୍ତାକାଲି ସୁଦ୍ଧା ଲିଖିତ ଭାବେ ଏହାର ଜବାବ ଦେବାକୁ ସେମାନଙ୍କୁ କୁହାଯାଇଛି |ନିୟମିତ ଡାକ୍ତରଖାନାକୁ ଆସୁନଥିବା ଅଭିଯୋଗରେ ନୋଟିସ ଜାରି କରିଛନ୍ତି ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ ତଥା ଜିଲ୍ଲା ଚିକିତ୍ସା ଅଧିକାରୀ । ଏପରିକି ଏହି ଡାକ୍ତରମାନେ ଗତ ୬ ତାରିଖ ଦିନ ଜୟପୁରରେ ଅନୁଷ୍ଠିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ରିଭ୍ୟୁ ବୈଠକରେ ମଧ୍ୟ ଯୋଗ ଦେଇନଥିଲେ । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ । ବୈଠକରେ ଏଭଳି ଢଙ୍ଗରେ ଅନୁପସ୍ଥିତ ରହି ଏହି ଡାକ୍ତରମାନେ ସେମାନଙ୍କ ଉପର ଅଧିକାରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଛନ୍ତି ବୋଲି ମେଡିକାଲ ଅଧୀକ୍ଷକ ଜାରି କରିଥିବା ନୋଟିସ୍ରେ ଉଲ୍ଲେଖ କରିଛନ୍ତି ଓ ଏନେଇ ଆସନ୍ତାକାଲି ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି।