ଭୁବନେଶ୍ୱର(ରାଜ୍ୟକାହାଣୀ) ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ବର୍ଷା ଋତୁ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ୍ ୧୫ ତାରିଖରୁ ବନ୍ଦ ରହିଥିଲା କୁଳଡିହା ଅଭୟାରଣ୍ୟ । ପୁଣି ପର୍ଯ୍ୟଟନ ଋତୁ ଆସିବାରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନଭେମ୍ବର ୧ ତାରିଖରୁ ଅଭୟାରଣ୍ୟ ଖୋଲିବା ନେଇ ବନ ବିଭାଗ ତରଫରୁ ପ୍ରାକ୍ ପ୍ରସ୍ତୁତି ସରିଛି ।ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଈ, ବଳିଆ କୁକୁର, ବଜ୍ରକାପ୍ତା, ମୟୂର ଇତ୍ୟାଦି ବନ୍ୟପ୍ରାଣୀ ଦେଖାଯାଆନ୍ତି । କୁଳଡିହାକୁ ଲାଗି ରହିଥିବା ଡ୍ୟାମ୍ ସାତଘାଟି, ରିସିଆ, ପୁରୁଣାପାଣି, ଜୋଡ଼ାଚୁଆ, ମୁଖଚତୁରି, କଇମଚତୁରୀ ଅଞ୍ଚଳରେ ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀର ପକ୍ଷୀ ଦେଖିବାକୁ ମିଳେ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଅଭୟାରଣ୍ୟରେ ପର୍ଯ୍ୟଟନର ବିକାଶ ଲାଗି ଗୋହିରାଭୋଳ ଠାରେ ‘ରିସିଆ ପ୍ରକୃତି ନିବାସ’ ଖୋଲାଯାଇଛି । ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ଅନ୍ ଲାଇନରେ ବୁକିଂର ବ୍ୟବସ୍ଥା ରହିଛି । ଏପରିକି ଏହି ବିଷୟରେ ଅଧିକ ଜାଣିବା ପାଇଁ ୱେବ୍ସାଇଟ୍ ecotourodisha.com ରହିଛି । ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୧ଟାରେ ପ୍ରବେଶ ସହ ୫ଟା ପର୍ଯ୍ୟନ୍ତ ପରିଭ୍ରମଣର ସୁବିଧା ରଖାଯାଇଛି ।