୮୨ ବର୍ଷରେ ଓଡ଼ିଆରେ ଏମ୍‌ଏ ପାସ୍‌ କଲେ ଗୋପୀନାଥ

ଭୁବନେଶ୍ୱର(ରାଜ୍ୟକାହାଣୀ) ପାଠ ପଢ଼ିବାର ବୟସସୀମା ନ ଥାଏ। ସେଥିପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳର ଆବଶ୍ୟକତା ଅଛି। ବୟସ ଯେତେ ବି ହେଉ କୌଣସି ପ୍ରତିବନ୍ଧକ ସୃଷ୍ଟି କରି ପାରେନାହିଁ ବୋଲି ପ୍ରମାଣିତ କରିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ମେଘପୁର ଗାଁର ୮୨ ବର୍ଷୀୟ ଗୋପୀନାଥ ବିଶ୍ୱାଳ।ବୟସର ଅପରାହ୍ନରେ ସମସ୍ତେ ଚୁପଚାପ ଘରେ ବସି ରହୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପାଠ ପଢ଼ିବାର ଆଗ୍ରହ ଅଧିକ ଥିଲା । ଛୋଟ ବେଳରୁ ଆଶା ରଖିଥିଲେ କେମିତି ପାଠ ପଢ଼ି ଏମ୍ ଏ ପାସ କରିବେ । କିନ୍ତୁ ଘରର ପରିସ୍ଥିତି ପାଇଁ ସେ ନିଜ ଇଚ୍ଛାକୁ ପୂରା କରିପାରି ନଥିଲେ । ଘରର ଦାୟିତ୍ବରେ ବନ୍ଧା ହୋଇପଡ଼ିଥିଲେ ଗୋପୀନାଥ । କିନ୍ତୁ ଦାୟିତ୍ବରୁ ମୁକ୍ତ ହେବା ପରେ ନିଜ ଇଚ୍ଛାକୁ ପୂରା କରିବା ପାଇଁ ଦେଖିଥଲେ ସ୍ବପ୍ନ । ଆଉ ତାଙ୍କର ସେହି ସ୍ବପ୍ନ ଏବେ ପୂରା ହୋଇପାରିଛି । ୮୨ ବର୍ଷ ବୟସରେ  ଗୋପୀନାଥ ବିଶ୍ୱାଳ ସ୍ନାତକୋତ୍ତରରେ କୃତିତ୍ବ ଅର୍ଜନ କରିଛନ୍ତି । ଏଭଳି ସଫଳତାରେ ତାଙ୍କ ପରିବାର ବେଶ ଗର୍ବ ଅନୁଭବ କରୁଛି । ତାଙ୍କ ସ୍ତ୍ରୀଙ୍କ ଖୁସି କହିଲେ ନସରେ ।ଗୋପୀନାଥ ଆୟତନ ଏମ୍‌.ଇ. ବିଦ୍ୟାଳୟରୁ ୭ମ ପାସ୍‌ ପରେ ଘରୋଇ ଭାବେ ମାଟ୍ରିକ, ଯୁକ୍ତ ୨, ବି.ଏ. ବିଇଡି ଓ ଶେଷରେ ବୃତ୍ତିରୁ ଅବସର ନେବା ପରେ ଏବେ ଏମ୍‌ଏ ପାସ୍‌ କରିଛନ୍ତି। ଗୋପୀନାଥ ୭ମ ଶ୍ରେଣୀ ପାସ ପରେ ଡେଙ୍ଗସର୍ଗୀ ଆଶ୍ରମ ପ୍ରାଥମିକ ବିଦ୍ୟାଳୟ ସମ୍ବଲପୁରରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପରେ ରାଜକନିକା କୂଳସାହି ସେବାଶ୍ରମ ହାଇସ୍କୁଲ, କେନ୍ଦ୍ରାପଡ଼ାରୁ ପ୍ରଧାନ ଶିକ୍ଷକ ପଦବୀରୁ ୨୦୦୦ ମସିହାରେ ଅବସର ଗ୍ରହଣ କରିଛନ୍ତି। ବର୍ତ୍ତମାନ ସେ ରାଜକନିକାର ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସହ ସକ୍ରିୟ ଭାବେ ଯୋଡ଼ି ହୋଇରହିଛନ୍ତି। ବୟସର ଅପରାହ୍ଣରେ ପହଞ୍ଚି ମଧ୍ୟ ତାଙ୍କର ଏହି ଦୃଢ଼ ଇଚ୍ଛାଶକ୍ତିକୁ ରାଜକନିକାବାସୀ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.

five × five =