ଭୁବନେଶ୍ୱର(ରାଜ୍ୟକାହାଣୀ) ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଏହି ସମୟରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଅଭିଯୁକ୍ତମାନେ ଗଛରେ ବାନ୍ଧି ତାଙ୍କ ସାମ୍ନାରେ ଏହି ଜଘନ୍ୟକାଣ୍ଡ ଘଟାଇଛନ୍ତି। ପରବର୍ତ୍ତୀ ସମୟରେ ଏହାର ଭିଡ଼ିଓ ଭାଇରାଲ ଘଟଣାରେ ପୁଲିସ ୩ ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି। ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଗତ ୨୦ ତାରିଖରେ ସେ ତାଙ୍କ ପୁରୁଷବନ୍ଧୁଙ୍କ ସହ ଫତେଗଡ଼ ରାମମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଫେରିବା ପରେ ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟରେ ଶାଳ ଜଙ୍ଗଲ ନିକଟରେ ତିନି ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ସମସ୍ତଙ୍କ ହାତରେ ଛୁରି ଓ ଅନ୍ୟ ମାରଣାସ୍ତ୍ର ରହିଥିଲା। ଫଳରେ ସେମାନେ ଭୟଭୀତ ହୋଇ ସେଠାରେ ଅଟକି ଯାଇଥିଲେ। ପରେ ଉଭୟଙ୍କୁ ଉକ୍ତ ତିନି ଜଣ ଯୁବକ ଜଙ୍ଗଲ ମଧ୍ୟକୁ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଯୁବତୀଙ୍କ ପୁରୁଷବନ୍ଧୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ଼ ମାରିବା ସହ ହାତଗୋଡ଼ ବାନ୍ଧି ସେଠାରେ ପକାଇ ଦେଇଥିଲେ। ସମସ୍ତେ ଯୁବତୀଙ୍କ ସହ ପ୍ରଥମେ ଅସଦାଚରଣ କରି ତାଙ୍କୁ ଉଲଗ୍ନ କରିଥିଲେ। ଏ ସମସ୍ତ ଦୃଶ୍ୟକୁ ଦୁର୍ବୃତ୍ତମାନେ ନିଜ ମୋବାଇଲରେ ଉତ୍ତୋଳନ କରିବା ପରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ପୁରୁଷବନ୍ଧୁଙ୍କ ଆଖି ସାମ୍ନାରେ ଏ ସବୁ ଘଟଣା ଘଟି ଚାଲିଥିଲେ ମଧ୍ୟ ହାତଗୋଡ଼ ବନ୍ଧା ହୋଇଥିବାରୁ ସେ ନିରୁପାୟ ହୋଇ ଚୁପ୍ ରହିଥିଲେ। ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ଉଭୟଙ୍କ ପର୍ସ ଖୋଲି ସେଥିରେ ଥିବା ୪୮୦୦ ଟଙ୍କା ନେଇଯାଇଥିଲେ। ଏ ସମସ୍ତ କାଣ୍ଡ ଭିଆଇବା ପରେ ଦୁହିଁଙ୍କୁ ସେଠାରୁ ପଳାଇବା ପାଇଁ ଧମକ ଦେଇଥିଲେ। ଏହି ଘଟଣାରେ ଭୟଭୀତ ହୋଇ ପଡ଼ିଥିବା ପୀଡ଼ିତା ନିଜ ଘରକୁ ଫେରି ଅସୁସ୍ଥ ବାପାଙ୍କୁ କିଛି କହିବାକୁ ସାହସ କରିପାରିନଥିଲେ। ମାତ୍ର ଇତିମଧ୍ୟରେ ଯୁବତୀଙ୍କର ଏକ ଅଶ୍ଳୀଳ ଭିଡିଓ ବଜାରରେ ଘୂରି ବୁଲିଥିଲା। ଫଳରେ ବାଧ୍ୟ ହୋଇ ସେ ଥାନାକୁ ଆସି ଅଭିଯୋଗ କରିଥିଲେ। ଗଣବଳାତ୍କାର ଅଭିଯୋଗ ଆସିବା ପରେ ୩ ଯୁବକଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଛି। ବଳାତ୍କାର ମାମଲା ରୁଜୁ ହୋଇଛି।