ଭୁବନେଶ୍ୱର (ରାଜ୍ୟକାହାଣୀ): ୨୦୦୨୪-୨୫ ଆର୍ଥିକ ବର୍ଷର ୬ମାସରୁ ଉର୍ଧ୍ଵ ସମୟ ବିତିଗଲାଣି , ହେଲେ ବିଭିନ୍ନ ବିଭାଗକୁ ବଜେଟରୁ ମିଳିଥିବା ପାଣ୍ଠିରୁ ଏଯାବତ ୭୦% ଅର୍ଥ ଖର୍ଚ୍ଚ କରିବାରେ ବିଭାଗ ଫେଲ ମାରିଥିବା ଜଣାପଡିଛି । ଚଳିତ ବର୍ଷ ବଜେଟ ଅନୁମୋଦନ ବିିଳମ୍ବିତ ହୋଇଥିବା ବେଳେ ବଜେଟ ବ୍ୟୟରେ ମନ୍ଥରତା ଏବେ ବିଭିନ୍ନ ବିଭାଗ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଫଳରେ ଅନେକ ବିଭାଗ ଅତିରିକ୍ତ ବଜେଟ୍ରେ ଅଧିକ ଅନୁଦାନ ପାଇବାରୁ ବଞ୍ଚିତ ହେବେ । ଯେଉଁ ବିଭାଗ ଚଳିତ ଆର୍ଥିକ ବର୍ଷରେ ୩୦% ପାଣ୍ଠି ବ୍ୟୟ କରି ନ ଥିବେ ସେମାନଙ୍କ ଅତିରିକ୍ତ ଅନୁଦାନ ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ ବୋଲି ଅର୍ଥ ବିଭାଗ ସର୍ତ୍ତ ରଖିଛି। ଫଳରେ ଆସନ୍ତା ଶୀତ ଅଧିବେଶନରେ ସପ୍ଲିମେଣ୍ଟାରୀ ବଜେଟ୍ ଆଣିବାକୁ ସରକାର ଯୋଜନା କରୁଥିବାବେଳେ ସର୍ତ୍ତ ପୂରଣରେ ବିଫଳତା ପାଇଁ ଅନେକ ବିଭାଗର ଉନ୍ନୟନମୂଳକ କାର୍ଯ୍ୟରେ ବାଧା ହେବ ନିଶ୍ଚିତ ହୋଇଛି ।
ସପ୍ଲିମେଣ୍ଟାରୀ ବଜେଟ ପାଇଁ କେଉଁ ବିଭାଗ କେତେ ପାଣ୍ଠି ଆବଶ୍ୟକ କରୁଛନ୍ତି ତାହାର ବିବରଣୀ ଚଳିତ ମାସ ୩୦ ତାରିଖ ସୁଦ୍ଧା ଯୋଜନା ଓ ସଂଯୋଜନା ବିଭାଗରେ ଦାଖଲ ପାଇଁ କୁହାଯାଇଛି। ଅର୍ଥବିଭାଗ ପ୍ରମୁଖ ସଚିବ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ମାନଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଛନ୍ତି। ଚଳିତ ବର୍ଷ ରାଜ୍ୟ ସରକାର ଅନ୍ନଦାତା, ନାରୀ ଶକ୍ତି, ସାମାଜିକ ନ୍ୟାୟ, ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା, ସାବଲୀଳ ଜୀବନଶୈଳୀ, ମୌଳିକ ନାଗରିକ ସୁବିଧା, ବିକଶିତ ଗାଁ, ବିକଶିତ ସହର, ବିକଶିତ ଓଡିଶା, ଶିଳ୍ପ, ରୋଜଗାର ଓ କର୍ମନିଯୁକ୍ତି, ଓଡିଆ ଅସ୍ମିତା, ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଲୋକଙ୍କ ସରକାର ଆଦି ବିଭିନ୍ନ ଦିଗକୁ ଗୁରୁତ୍ୱ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସପ୍ଲିମେଣ୍ଟାରୀ ବଜେଟ ଜରିଆରେ ପାଣ୍ଠି ପ୍ରସ୍ତାବ ଦେବା ପାଇଁ କୁହାଯାଇଛି। କିନ୍ତୁ ଚଳିତ ଆର୍ଥିକ ବର୍ଷର ଅଧା ସମୟ ଅତିକ୍ରାନ୍ତ ହୋଇଥିଲା ବେଳେ ବଜେଟର ମାତ୍ର ୨୩% ଖର୍ଚ୍ଚ ହୋଇପାରିଛି। ସେହି ଅନୁସାରେ ଅଧିକାଂଶ ବିଭାଗର ଖର୍ଚ୍ଚ ୩୦%ରେ ପହଞ୍ଚିପାରି ନାହିଁ। ଯାହା ଚିନ୍ତାର କାରଣ ହୋଇଛି ବୋଲି ଅର୍ଥନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି ।