ମହାପ୍ରଭୁଙ୍କ ଆନନ୍ଦ ବଜାରରେ ମହାପ୍ରସାଦ ଚଢା ଦର

ଭୁବନେଶ୍ୱର(ରାଜ୍ୟକାହାଣୀ)କାର୍ତ୍ତିକ ମାସରେ ମହାପ୍ରସାଦର ଆବଶ୍ୟକତା ବଢିବ। ହେଲେ ଏବେଠାରୁ ମହାପ୍ରସାଦ ଓ ଶୁଖିଲି ଭୋଗର ଦର ଭକ୍ତଙ୍କ ମନରେ ଛନକା ପଶେଇଲାଣି। ୭ ବର୍ଷ ତଳର ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିରରେ କେବଳ ଗୋଟିଏ ବ୍ରାଣ୍ଡ ଅର୍ଥାତ ଓମଫେଡର ଶୁଦ୍ଧ ଘିଅ ବ୍ୟବହାର କରାଯାଇପାରିବ । ଘିଅର ଦରବୃଦ୍ଧି ଯୋଗୁଁ ଲୋକଙ୍କୁ ସୁଲଭ ମୂଲ୍ୟରେ ମହାପ୍ରସାଦ ଓ ଅନ୍ୟାନ୍ୟ ଶୁଖୁଲି ଭୋଗ ଯୋଗାଇ ହେଉନାହିଁ। ଚାହିହା ମେଣ୍ଟାଇବାକୁ ଘିଅ ମହଜୁଦ ରଖିପାରୁନି ଓମଫେଡ । ଯାହାର ବିକଳ୍ପ ଭାବରେ ଶ୍ରୀମନ୍ଦିରରେ ବେନାମୀ ଘିଅ ବ୍ୟବହାର କରୁଛନ୍ତି ସେବାୟତ । ତେବେ ଶ୍ରୀମନ୍ଦିରରେ ଜଗା ଦର୍ଶନ ସାରି ଆନନ୍ଦ ବଜାରକୁ ମହାପ୍ରସାଦ ଟିକେ ପାଇବାକୁ ଆସିଲା ବେଳକୁ ଚଢ଼ା ଦର ଶୁଣି ଭକ୍ତ ଛାନିଆ। ଯେଉଁଠି ୧୦୦ ଟଙ୍କା ଦେଲେ ଅନ୍ନ, ଡାଲି ଓ ବେସର ଟିକେ ମିଳୁଥିଲା, ଏବେ ତାହା ୨୦୦ ଟଙ୍କା ଉପରେ। ଶୁଖିଲା ଭୋଗ ଭାବେ ପିଠା, ଖଜା ରେଟ ତିନି ଗୁଣା ଉଚ୍ଚା। ଆଗରୁ ୫ ଟଙ୍କାରେ ମିଳୁଥିବା ଖଜା ଏବେ ୧୫ ଟଙ୍କା, ୧୫ ଟଙ୍କିଆ ପିଠା ୩୦ ଟଙ୍କା, ଆଉ ୩୦ ଟଙ୍କିଆ ଅମାଲୁ ୫୦ଟଙ୍କାରେ ବିକ୍ରି ହେଉଛି। ଧର୍ମ ମାସ କାର୍ତ୍ତିକ ମାସ ଆରମ୍ଭ ନ ହେଉଣୁ ଆନନ୍ଦ ବଜାରରେ ଏଭଳି ଆକାଶ ଛୁଆଁ ଦର ବୃଦ୍ଧିକୁ ନେଇ ସାଧାରଣ ଭକ୍ତ ନିରାଶ ହୋଇଥିବା ବେଳେ ବରିଷ୍ଠ ସେବାୟତ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି।ସେପଟେ ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଅବଢ଼ା ଦର ବୃଦ୍ଧି ନିରାକରଣ ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ରଖିନଥିବା ବେଳେ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ସହ ରେଟ୍‌ଚାଟ୍‌ ଲଗାଇବାକୁ ଉଦ୍ୟମ ଚାଲିଥିବା କହିଛନ୍ତି।

Leave A Reply

Your email address will not be published.

3 × four =