ନବୀନ @79

79 ବର୍ଷରେ ପାଦ ଥାପିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଲଗାତର 24ବର୍ଷ ଧରି ଓଡ଼ିଶାର ଶାସନଭାର ସମ୍ଭାଳିଥିଲେ ନବୀନ। ବିକଶିତ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି କ୍ଷେତ୍ରରେ ବିଶ୍ୱ ମାନଚିତ୍ରରେ ଓଡ଼ିଶା ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି।

ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ଓ ନିରବଚ୍ଛିନ୍ନ ସେବା ପାଇଁ ସେ ସବୁବେଳେ ଲୋକଙ୍କ ନିକଟତର ହୋଇପାରିଥିଲେ। 2000 ମସିହା ପରଠାରୁ ରାଜ୍ୟରେ ଶାସନ ଭାର ସମ୍ଭାଳିଥିଲେ ନବୀନ। ଆଉ ସେବେଠୁ ଆରମ୍ଭ ହୋଇଥିଲା ବିକଶିତ ଓଡ଼ିଶାର ସ୍ୱପ୍ନ। ଏକ ଦରିଦ୍ର, ପଛୁଆ ରାଜ୍ୟକୁ ଦେଶର ଅଗ୍ରଣୀ ରାଜ୍ୟ ତାଲିକାରେ ସାମିଲ କରିବାରେ ସକ୍ଷମ ହୋଇଥିଲେ ନବୀନ। ଦୃତ ଶିଳ୍ପାୟନ, ଆଇଟି ହବ୍ ସହ ରୋଜଗାରର ନୂଆ ମାଧ୍ୟମ ସୃଷ୍ଟି କରିଥିଲା ନବୀନ ସରକାର। ମହିଳା ସଶକ୍ତିକରଣ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଦକ୍ଷତା ପାଇଁ ସାରା ବିଶ୍ୱରେ ଅନେକ ପ୍ରଶଂସା ସାଉଁଟିଥିଲେ ପୂର୍ବ ସରକାର।

1946 ମହିହା ଅକ୍ଟୋବର 16 ତାରିଖରେ ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବଂ ମାଆ ଜ୍ଞାନ ପଟ୍ଟନାୟକଙ୍କ କୋଳରେ ଜନ୍ମ ନେଇଥିଲେ ନବୀନ। କଟକ ଆନନ୍ଦ ଭବନରେ ଜନ୍ମଗ୍ରହଣ କରିଥିବା ନବୀନ ଦେଶ ବିଦେଶର ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଢିଛନ୍ତି। ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପୂର୍ବତନ ଜନତା ଦଳର କିଛି ନେତାଙ୍କ ନେତୃତ୍ୱ ନେଇ ରାଜନୀତିରେ ପାଦ ଥାପିଥିଲେ ନବୀନ। ଆଜି ତାଙ୍କ ଜନ୍ମଦିନରେ ସବୁଠୁ ଛୁଟିଛି ଶୁଭେଚ୍ଛାର ବାର୍ତ୍ତା। ନବୀନଙ୍କ ଜନ୍ମଦିନକୁ ଜନସେବାର ସଂକଳ୍ପ ଦିବସ ଭାବେ ପାଳନ କରୁଛି ବିଜୁ ଜନତା ଦଳ। ସାରା ରାଜ୍ୟରେ ଆୟୋଜନ ହେଉଛି ରକ୍ତଦାନ ଶିବିର।

Leave A Reply

Your email address will not be published.

4 × 3 =