ଅମର ଦଳ ଛାଡିଦେଲେ କିଛି ଫରକ୍ ପଡିବନି’

ଭୁବନେଶ୍ୱର(ରାଜ୍ୟକାହାଣୀ)ବିଜେଡିରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଦଳର ବରିଷ୍ଠ ନେତାମାନେ ଜଣେ ଜଣଙ୍କୁ ଆକ୍ଷେପ ପ୍ରତି ଆକ୍ଷେପ କରି ଚାଲିଛନ୍ତି। ବରିଷ୍ଠ ବିଜେଡି ନେତା ଅମର ଶତପଥୀଙ୍କୁ ସାଂଘାତିକ ଭାବେ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଲେନିନ୍ କହିଛନ୍ତି, ‘ ଦଳରେ ଯଦି ଅମର ଶତପଥୀ ଶ୍ୱାସରୁଦ୍ଧ ହୋଇଯାଉଛନ୍ତି ତେବେ ଦଳ ଛାଡି ଚାଲିଯାଆନ୍ତୁ । ସେ ନିଜ ପୁତୁରାଙ୍କୁୁ ପୂର୍ବରୁ ବିଜେପିକୁ ପଠାଇଦେଇଛନ୍ତି ଏବେ ନିଜେ ଲାଇନରେ ଅଛନ୍ତି । ଅମର ଦଳ ଛାଡିଲେ ବିଜେଡିରେ ପଇସାକର ବି ପ୍ରଭାବ ପଡିବନି । ସେପଟେ ପୂର୍ବତନ ବିଧାୟକ ଅମର ଶତପଥୀଙ୍କ ବିସ୍ଫୋରକ ବୟାନ। ଲେନିନ ତାଙ୍କୁ ଦଳ ଛାଡ଼ି ପଳାନ୍ତୁ କହିବା ପରେ ଅମର କଡ଼ା କଥା ଶୁଣାଇ ଦେଇଛନ୍ତି।

ସେ କହିଛନ୍ତି, ‘ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ ମୁଁ ଦଳରେ ନାହିଁ। ମୁଁ ଏବେ ସ୍ବାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ’ ସଭ୍ୟପଦ ନବୀକରଣ ବି କରିନି। କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି। ଲେନିନ୍‌ଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି। ମୋ ପୁତୁରା କେହି ଭାଜପାକୁ ଯାଇନାହାନ୍ତି, ସେ ନାଁ କହିଲେ ଭଲ ହେବ। ଭାଜପା ସହ ଅନେକ ଦଳ ଏବେ ବି ମୋ’ ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ମୁଁ ଏବେ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି।’ ତେବେ ୨୦୨୪ ନିର୍ବାଚନରେ ଟିକେଟ ନମିଳିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଅମର । ତେବେ ଲେନିନ୍ ତାଙ୍କୁୁ ଦଳ ଛାଡି ଚାଲିଯିବାକୁ କହୁଥିବାବେଳେ ଅମରଙ୍କ ଭଳି ଜଣେ ବରିଷ୍ଠ ନେତା ଦଳ ଛାଡିବାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି ।

Leave A Reply

Your email address will not be published.

two + eleven =