ଲୋକଙ୍କ ଖାଦ୍ୟ ପାଇଁ ମରାଯିବ ୨୦୦ ହାତୀ

ଚାରି ଦଶନ୍ଧିର ସବୁଠାରୁ ଭୟଙ୍କର ମରୁଡ଼ିର ସାମନା କରୁଥିବା ଜିମ୍ୱାୱେ ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ କଠୋର ନିଷ୍ପତ୍ତି ନେଇଛି । ଲୋକଙ୍କ ଖାଇବା ପାଇଁ ଖାଦ୍ୟ ଯୋଗାଡ଼ ଲାଗି ବନ୍ୟପ୍ରାଣୀଙ୍କୁ ହତ୍ୟା କରାଯିବ। ମରୁଡ଼ି ପରେ ବହୁ ପରିମାଣରେ ବନ୍ୟପ୍ରାଣୀ ଶିକାରରେ ମଧ୍ୟ ବୃଦ୍ଧି ଘଟିଛି। ଜିମ୍ବାୱେ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ ବର୍ତ୍ତମାନ ଭୋକରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜିମ୍ବାୱେ ପାର୍କ ଏବଂ ୱାଇଲ୍ଡ ଲାଇଫ୍ ଅଥରିଟି ମୁଖପାତ୍ର ଟିନାସେ ଫାରାଭୋ ସରକାରଙ୍କ ନିଷ୍ପତ୍ତିକୁ ନିଶ୍ଚିତ କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ୨୦୦ ହାତୀଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।୧୯୮୮ ମସିହା ପରେ ଦେଶରେ ପ୍ରଥମ ଥର ପାଇଁ ହ୍ୱାଙ୍ଗେ, ମାବିରେ, ଶୋଲୋଶୋ ଏବଂ ଚିରେଡିଜି ଜିଲ୍ଲାରେ ଏଭଳି ହତ୍ୟା କରାଯିବ । ପଡୋଶୀ ନାମିବ୍ୟାରେ ଗତ ମାସରେ ୮୩ ହାତୀକୁ ମାରିବା ଏବଂ ମରୁଡ଼ି ଦ୍ୱାରା ପ୍ରଭାବିତ ଲୋକଙ୍କୁ ମାଂସ ବଣ୍ଟନ କରିବା ନିଷ୍ପତ୍ତିକୁ ଅନୁସରଣ କରାଯାଇଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ୫ ଦକ୍ଷିଣ ଆଫ୍ରିକୀୟ ଦେଶ ଜିମ୍ବାଓ୍ବେ, ନାମିବ୍ୟା, ବୋତ୍‌ସ୍ବାନା, ଜାମ୍ବିଆ ଏବଂ ଆଙ୍ଗୋଲାର ବନ୍ୟଜନ୍ତୁ ସଂରକ୍ଷଣ ଅଞ୍ଚଳଗୁଡ଼ିକରେ ୨ ଲକ୍ଷରୁ ଅଧିକ ହାତୀ ବସବାସ କରୁଛନ୍ତି। ଉକ୍ତ ଅଞ୍ଚଳ ସମଗ୍ର ବିଶ୍ୱରେ ସର୍ବାଧିକ ହାତୀ ରହୁଥିବା ଅଞ୍ଚଳ ଭାବେ ପରିଗଣିତ ହୋଇଛି। ବିଶ୍ୱର ସର୍ବାଧିକ ହାତୀ ବୋତ୍‌ସ୍ବାନାରେ ଥିବାବେଳେ ଏହି ତାଲିକାରେ ଜିମ୍ବାଓ୍ବେ ଦ୍ୱିତୀୟ ସ୍ଥାନରେ ରହିଛି। ଜିମ୍ବାଓ୍ବେ ନିଜର ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସ ଏବଂ ହାତୀଙ୍କର ବଢ଼ୁଥିବା ଜନସଂଖ୍ୟା ଯୋଗୁ ମିଳିତ ଜାତିସଂଘ ପକ୍ଷରୁ ବହୁବାର ପ୍ରଶଂସିତ ହୋଇଛି।

Leave A Reply

Your email address will not be published.

two − 1 =