ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜି ପୁରୀ ଠାରେ ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ପୂରଣ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ନୂଆ ସରକାର ୧୦୦ ଦିନ ମଧ୍ୟରେ ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିଛନ୍ତି।ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ । ଲୋକଙ୍କ ମତ ଓ ହିତକୁ ନେଇ ସରକାର ସବୁ ବେଳେ ଚାଲିବା କଥା । ଲୋକ ବିରୋଧୀ କାର୍ଯ୍ୟ ଯୋଗୁଁ ୨୪ ବର୍ଷର ସରକାର ପତନ ଘଟିଲା । ପୂର୍ବ ସରକାର ମହାପ୍ରଭୁଙ୍କୁ ମଧ୍ୟ ଭୋଟ ରାଜନୀତିରେ ବ୍ୟବହାର କଲେ । ଆମ ସରକାରର ସଂକଳ୍ପ ପତ୍ର ହେଉଛି ଧର୍ମଗ୍ରନ୍ଥ । ସଂକଳ୍ପ ପତ୍ରରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରା କରିଛୁ, କରିବୁ ମଧ୍ୟ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜନତାଙ୍କ ଆଶୀର୍ବାଦରେ ୨୦୩୬ରେ ସମୃଦ୍ଧ ଓଡିଶା ଗଠନର ସଂକଳ୍ପ ପୂରଣ ହେବ । ଏହାର ମୂଳଦୁଆ ପ୍ରଥମ ୫ ବର୍ଷରେ ପଡିବ। ଏହାର ପ୍ରକ୍ରିୟା ପ୍ରଥମ ୧୦୦ ଦିନ ମଧ୍ୟରେ ଆରମ୍ଭ ହୋଇ ସାରିଛି। 

ବିକଶିତ ଭାରତରେ ଓଡିଶା ନିଶ୍ଚିତ ଭାବରେ ବିକାଶର ରେଳ ଗାଡିରେ ପ୍ରଥମ ବଗି ହେବ।  ଦୁର୍ନୀତିରେ ଜଡ଼ିତ ଅଧିକାରୀଙ୍କୁ ଆମେ ଦଣ୍ଡ ଦେଉଛୁ। ଇତିମଧ୍ୟରେ ୫୮ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫଙ୍କ ମଧ୍ୟରେ ୧୭ ଜଣ କ୍ଲାସ ୱାନ୍‌ ଏବଂ ୭ ଜଣ କ୍ଲାସ୍ ଟୁ ଅଫିସର ଅଛନ୍ତି।ସରକାରର ପ୍ରଥମ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ସହ ରତ୍ନଭଣ୍ଡାର ଖୋଲି ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ କଲୁ। ପୂର୍ବ ସରକାର ଅଭିଯୋଗ ଶୁଣୁନଥିଲେ, ବରଂ ତାଙ୍କ ଇଚ୍ଛାରେ କାର୍ଯ୍ୟ କରୁଥିଲେ । ଭୁବନେଶ୍ବରରେ ଅଭିଯୋଗ ଶୁଣୁଛି, ହେଲେ ଆଗାମୀ ଦିନରେ ସବୁ ଜିଲ୍ଲାରେ ଅଭିଯୋଗ ପ୍ରକୋଷ୍ଠ କରି ଶୁଣାଣି ହେବ ।ଆମର ସବୁଠାରୁ ବଡ଼ ପ୍ରତିଶ୍ରୁତି ଥିଲା ମହିଳା ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ଅଭିନବ ପରିକଳ୍ପିତ ସୁଭଦ୍ରା ଯୋଜନା। ଓଡ଼ିଶାର ପରିଶ୍ରମୀ ଓ ଉଦ୍ୟମୀ ମା ମାନଙ୍କୁ ସମ୍ମାନ ଜଣାଇ ଆମ ସରକାର ଆରମ୍ଭ କରିଛନ୍ତି ସୁଭଦ୍ରା ଯୋଜନା। ଦେବୀ ସୁଭଦ୍ରାଙ୍କ ନାମରେ ନାମିତ ସୁଭଦ୍ରା ଯୋଜନାରେ ଉପକୃତ ହେବାକୁ ଯାଉଛନ୍ତି ଏକ କୋଟିରୁ ଉର୍ଦ୍ଧ୍ବ ମହିଳା। ବର୍ଷକୁ ୧୦ ହଜାର ଲେଖାଏଁ ପାଞ୍ଚ ବର୍ଷରେ ପ୍ରତ୍ୟେକ ଯୋଗ୍ୟ ମହିଳା ପାଇବେ ପଚାଶ ହଜାର ଟଙ୍କା। ଏହି ଟଙ୍କା ସେମାନଙ୍କୁ ଫେରାଇବାକୁ ପଡ଼ିବ ନାହିଁ, କାରଣ ଏହା ଋଣ ଆକାରରେ ସେମାନଙ୍କୁ ଦିଆଯାଉ ନାହିଁ। ଏହି ଟଙ୍କାକୁ ବିନିଯୋଗ କରି ସେମାନେ କ୍ଷୁଦ୍ର ବ୍ୟବସାୟ, ଖୁଚୁରା ଉତ୍ପାଦନ କିମ୍ବା ଛୋଟ ଦୋକାନ ଟିଏ କରି ନିଜର ଓ ନିଜ ପରିବାରର ରୋଜଗାରକୁ ବଢ଼ଇ ପାରିବେ। ମହିଳାମାନେ ଆମ ସଂସ୍କୃତିରେ ପୂଜନୀୟ।

Leave A Reply

Your email address will not be published.

5 + twenty =