ଦେଶରେ ହେଉଥିବା ବାଲ୍ୟ ବିବାହକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ। ଏହି ପ୍ରସଙ୍ଗକୁ ନେଇ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିବା ସହ ଗାଇଡଲାଇନ୍ ଜାରି କରିଛନ୍ତି।ବାଲ୍ୟ ବିବାହ ନିଷେଧ ଆଇନକୁ ବ୍ୟକ୍ତିଗତ ଆଇନ ଦ୍ୱାରା ବନ୍ଦ କିମ୍ବା ପ୍ରତିରୋଧ କରାଯାଇପାରିବ ନାହିଁ ବୋଲି ଆଜି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହା ପସନ୍ଦର ଜୀବନସାଥୀ ପାଇବାର ସ୍ୱାଧୀନ ଇଚ୍ଛାକୁ ଲ୍ଲଂଘନ କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଶରେ ବାଲ୍ୟ ବିବାହ ନିବାରଣ ଆଇନର ପ୍ରଭାବଶାଳୀ ରୂପାୟନ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି।ଏକ ଏନଜିଓ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ ଅଭିଯୋଗ ହୋଇଥିଲା ଯେ ରାଜ୍ୟ ସ୍ତରରେ ଶିଶୁ ବିବାହ ନିଷେଧ ଆଇନ ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ, ଯେଉଁଥିପାଇଁ ବାଲ୍ୟ ବିବାହ ମାମଲା ବଢ଼ିବାରେ ଲାଗିଛି।
ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ବାଲ୍ୟ ବିବାହ ନିଷେଧ ଆଇନରେ କିଛି ତ୍ରୁଟି ରହିଛି। ବାଲ୍ୟ ବିବାହ ରୋକିବା ଏବଂ ସମାଜରୁ ଏହାକୁ ଦୂର କରିବା ପାଇଁ ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ପ୍ରଣୟନ କରାଯାଇଥିଲା। ଏହି ଆଇନ ୧୯୨୯ର ବାଲ୍ୟ ବିବାହ ନିୟନ୍ତ୍ରଣ ଆଇନର ସ୍ଥାନ ନେଇଥିଲା।ବାଲ୍ୟ ବିବାହ ଉପରେ ଗାଇଡଲାଇନ୍ ଜାରି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ବାପା-ମା’ଙ୍କ ଦ୍ୱାରା ନିଜର ନାବାଳକ ପୁଅ-ଝିଅଙ୍କର ବିବାହ କରାଇବା ପାଇଁ ନିର୍ବନ୍ଧ କରିଦିଆ ଯାଏ। ଏଭଳି କରିବା ସେମାନଙ୍କ ଜୀବନ ସାଥୀ ବାଛିବା ପାଇଁ ଥିବା ସ୍ୱାଧୀନ ଇଚ୍ଛାଶକ୍ତିର ଉଲ୍ଲଂଘନ ଅଟେ।’ ଶୁଣାଣି ସମୟରେ କୋର୍ଟ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସହ କଥାବାର୍ତ୍ତା କରିବାକୁ କହିଛନ୍ତି ଏବଂ ବାଲ୍ୟ ବିବାହ ଉପରେ ନିଷେଧାଦେଶ ଲାଗୁ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହା ମଧ୍ୟ ଜଣାଇବାକୁ କହିଛନ୍ତି।