ଭୁବନେଶ୍ୱର(ରାଜ୍ୟକାହାଣୀ)ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଧୀରେ ଧୀରେ ଉପକୂଳ ମୁହାଁ ହେଉଛି। ଘଣ୍ଟା ପ୍ରତି ୧୦ କିମି ବେଗରେ ଆଗକୁ ବଢ଼ିବା ସହ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଏହା ନାଗାପ୍ପଟ୍ଟିନମ୍ଠାରୁ ୩୪୦ କିମି, ପୁଡ଼ୁଚେରୀଠାରୁ ୪୧୦ କିମି ଓ ଚେନ୍ନାଇଠାରୁ ୪୭୦ କିମି ଦୂରରେ ରହିଛି। ଆସନ୍ତାକାଲି ସୁଦ୍ଧା ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ଯାଏ ରହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୬୬ କିମି ଯାଏ ରହିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ବାତ୍ୟାର ପ୍ରଭାବ ସିଧାସଳଖ ଭାବେ ଓଡ଼ିଶାରେ ନଥିବା ବେଳେ ବାୟୁର ଦିଗ ପରିବର୍ତ୍ତନକୁ ନେଇ ସମୁଦ୍ର ମଧ୍ୟରୁ ସ୍ଥଳଭାଗକୁ ଆର୍ଦ୍ର ବାୟୁ ପ୍ରବେଶ କରୁଛି । ଫଳରେ ଆର୍ଦ୍ରତାର ମାତ୍ରା ଅଧିକା ରହୁଛି । ୨୯ ତାରିଖରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, କୋରାପୁଟ ଜିଲ୍ଲା ଏବଂ ୩୦ ତାରିଖରେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଦିନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ବୃଦ୍ଧି ପାଇବ। ପରବର୍ତ୍ତୀ ଦୁଇ ଦିନ ବଡ଼ ପରିବର୍ତ୍ତନ ହେବ ନାହିଁ।