ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ପୁଅ ବଦଳରେ ଥିଲା ଗୋଟେ ଝିଅ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ସରକାରୀ ମେଡିକାଲରେ ଆଜି ଏକ ଅଜବ ଘଟଣା ଘଟିଛି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଆଉ ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରିଲେ ଓ ବଦଳ ହୋଇଥିବା ପୁଅକୁ ନିଜ ବାପା ମାଆଙ୍କୁ ଫେରାଇଲେ। ଏଭଳି ଅଜବ ଚିତ୍ର କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି।ସକାଳ ସମୟରେ କାର୍ଯ୍ୟରେ ଥିବା ନର୍ସ ଶିଶୁ ପୁତ୍ର ବଦଳରେ ଗୋଟିଏ ଶିଶୁ କନ୍ୟାକୁ ସ୍ଥାନାନ୍ତର କରିଦେଇଥିଲେ । ତେବେ ବ୍ରହ୍ମପୁର ମେଡିକାଲରେ ପହଞ୍ଚିବା ପରେ ଡକ୍ଟର ପୁତ୍ର ଜାଗାରେ ଶିଶୁ କନ୍ୟାକୁ ଆଣିଥିବା କଥା ଜଣାଇବା ପରେ ଘଟଣା ପଦାକୁ ଆସିଥିଲା । ଏହା ଶୁଣିବା ପରେ ବାପା ଦୀପକ କଟୁଆଳଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଦୀପକ ତୁରନ୍ତ ଏହି ଘଟଣା ସମ୍ପର୍କରେ ଫୋନ ଯୋଗେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଫୁଲବାଣୀର ମାତୃ ଶିଶୁ କେନ୍ଦ୍ରରେ ପହଁଚି ଏହି ଘଟଣା ଜଣାଇବା ପରେ ଘଟଣାଟି ପ୍ରାଚାର ହୋଇଥିଲା ।ଆଉ ଯାଞ୍ଚ ବେଳେ ନିଜର ଭୁଲ ଥିବା ମେଡିକାଲ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ସଙ୍ଗେସଙ୍ଗେ ନିଜ ଭୁଲ ସୁଧାରିବାକୁ ଯାଇ ଶିଶୁକନ୍ୟାର ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏପରିକି ସେମାନଙ୍କୁ ଏକ ଆମ୍ବୁଲାନ୍ସରେ ବ୍ରହ୍ମପୁର ଏମକେସିଜି ପଠାଇଥିଲେ। ସେପଟେ ବ୍ରହ୍ମପୁରରେ ଥିବା ଶିଶୁପୁତ୍ରର ବାପା ମାଆଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡକାଇଥିଲେ।

ସନ୍ଧ୍ୟାବେଳେ ଲିଜା ଓ ତାଙ୍କ ସ୍ବାମୀ ଫୁଲବାଣୀ ମେଡିକାଲରେ ପହଞ୍ଚିଥିଲେ। ଆଉ ଦୂରରୁ ନିଜ ଶିଶୁପୁତ୍ରକୁ ଦେଖିବାକୁ ପାଇଥିଲେ। ତେବେ ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁନଥିବାରୁ ଡାକ୍ତରଙ୍କ ପରାମର୍ଶରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି।  ତେବେ ରାଜ୍ୟର ବିଭିନ୍ନ ମେଡିକାଲରୁ ବିଭିନ୍ନ ସମୟରେ ଛୁଆ ଚୋରି ଅଭିଯୋଗ ହେଉଥିବା ନଜିର ରହିଛି । ଖାଲି ଚୋରି ନୁହେଁ ଏଭଳି ଛୁଆ ଅଦଳ ବଦଳ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଜାଣିଶୁଣି ହେଉ କି ଭୁଲ୍ ବଶତଃ ଏଭଳି ସମ୍ବେଦନଶୀଳ ଘଟଣା ବାରମ୍ବାର କାହିଁକି ଘଟୁଛି? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଥିବାବେଳେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.

18 − 18 =