ନିଯୁକ୍ତି ପ୍ରକ୍ରିୟା ହେବ ସ୍ୱଚ୍ଛ | ରାଜ୍ୟ ସରକାର ଆଣିବେ ସ୍ଵତନ୍ତ୍ର ଆଇନ, ଡିସେମ୍ବର ସୁଦ୍ଧା ପୂରଣ ହେବ ୩୪୬୮୬ ପଦବୀ
ଭୁବନେଶ୍ଵର, ୧୧/୯: ବିଭିନ୍ନ ନିଯୁକ୍ତି ଭିତ୍ତିକ ପରୀକ୍ଷାକୁ ସ୍ୱଚ୍ଛ, ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି । ନିକଟରେ ଏନେଇ କେନ୍ଦ୍ର ସରକାର ସ୍ଵତନ୍ତ୍ର ଆଇନ ଆଣିଥିବା ବେଳେ ଅନୁରୂପ ଭାବେ ରାଜ୍ୟ ସରକାର ଏକ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି । ଆଜି ବିଧାନସଭାରେ ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।କଂଗ୍ରେସ ପକ୍ଷରୁ ଆଗତ ବେକାରୀ ସମସ୍ୟା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖି ମନ୍ତ୍ରୀ ଡ. ମହାଲିଙ୍ଗ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏବେ ନୂଆ ସରକାର ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆମ ସରକାର ଆସନ୍ତା ୫ ବର୍ଷ ଭିତରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ପାଇଁ ପ୍ରତିଶ୍ରୁତିବଦ୍ଧ। ସେହିପରି ଆସନ୍ତା ୨ ବର୍ଷ ମଧ୍ୟରେ ସରକାର ୬୫ ହଜାର ପଦବୀ ପୂରଣ କରିବେ । ଅପରପକ୍ଷେ ଆସନ୍ତା ଡ଼ିସେମ୍ବର ମାସ ସୁଦ୍ଧା ରାଜ୍ୟରେ ମୋଟ ୩୪୬୮୬ ଖାଲି ପଦବୀ ପୁରଣ କରାଯିବ । ତନ୍ମଧ୍ୟରୁ ଚଳିତ ସେପ୍ଟେମ୍ବର ମାସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୨୧୯୭୯ ପଦବୀ ଅନ୍ତର୍ଭୁକ୍ତ ରହିଛି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।
ମୁଲତବୀ ଆଲୋଚନାରେ ଅଂଶ ଗ୍ରହଣ କରି କଂଗ୍ରେସ ସଦସ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରତିଶ୍ରୁତି କଥା ମନେପକେଇଦେଇ ସମାଲୋଚନା କରିଥିଲେ । ବିଧାୟକ ଅଶୋକ ଦାସ କହିଛନ୍ତି ଯେ, ୨୦୧୪ ପୂର୍ବରୁ କେନ୍ଦ୍ରର ବିଜେପି ସରକାର ୨ କୋଟି ଚାକିରି ଦେବେ କହିଥିଲେ। ନିର୍ବାଚନ ଜିତିବା ପରେ କହିଲେ ୧ କୋଟି ଲୋକଙ୍କୁ ଚାକିରି ଦେବୁ । ସେତେବେଳର ରାଜ୍ୟ ସରକାର ମଧ୍ୟ କହିଥିଲେ ବର୍ଷକୁ ୨ ଲକ୍ଷ ଚାକିରି ଦେବେ । ସେ ପ୍ରତିଶ୍ରୁତି ସବୁ କୁଆଡେ ଗଲା। ବିଧାନସଭା ଚାଲିଲା ବେଳେ ମାଷ୍ଟର କ୍ୟାଣ୍ଟିନ ଠାରୁ ବିଧାନସଭା ପର୍ଯ୍ୟନ୍ତ ବିଭିନ୍ନ ସଙ୍ଗଠନ ଧାରଣାରେ ବସିଛନ୍ତି । ଚୁକ୍ତି ଭିତ୍ତିକ ନିଯୁକ୍ତି କୁ ବିରୋଧ ଓ ବେକାରୀ ସମସ୍ୟା ଦୂର ପାଇଁ ଧାରଣାରେ ବସିଛନ୍ତି । ଅବସର ନେଇଥିବା କର୍ମଚାରୀଙ୍କୁ ପୁନଃ ଥଇଥାନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଭଳି ହେଲେ ବେକାରୀ ସମସ୍ୟା କିଭଳି ଦୂର ହେବ । ପୂର୍ବ ସରକାର ଯାହା କରୁଥିଲେ ବର୍ତମାନ ସରକାର ମଧ୍ୟ ତାହା କରୁଛନ୍ତି । ଏନସିଆରବି ରିପୋର୍ଟ ଅନୁସାରେ ୨୦୨୦ ରେ ୩୫୪୮ ଲୋକ ବେକାରୀ ସମସ୍ୟା ଚାପରେ ଆତ୍ମହତ୍ୟା କରିଛନ୍ତି । ଜାତୀୟ ବେକାରୀ ହାର ୩.୨ ରହିଥିବା ବେଳେ ରାଜ୍ୟ ୩.୯ ପ୍ରତିଶତ ରହିଛି। କଂଗ୍ରେସ ବିଧାୟିକା ସିଫିଆ ଫିର୍ଦ୍ଦୋସ୍ କହିଛନ୍ତି ଯେ, ସରକାର ପଦବୀ ପୂରଣ ନେଇ କିଛି ସ୍ପଷ୍ଟ କରିନାହାନ୍ତି । କେଉଁ କେଉଁ ପଦବୀ ପୂରଣ କରିବେ ସ୍ପଷ୍ଟ କରାଯାଇନାହିଁ । ଗ୍ରୁପ ସି ( ଆରଆଇ, ଅମିନ) ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ ଆସିଛି । ଟଙ୍କା ନେଇ ମାର୍କ ଅଧିକ ଦିଆଯାଇଛି, ଚାକିରି ବିକ୍ରି ହେଉଛି ବୋଲି ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ସରକାର ତାହାର ତଦନ୍ତ କରନ୍ତୁ। ଠିକା ନିଯୁକ୍ତି ବନ୍ଦ କରିବା ପାଇଁ ସେତେବେଳର ବିରୋଧୀ ଦଳ ମୁଖ୍ୟ ସଚେତକ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ପ୍ରତିବାଦ କରିଥିଲେ । ଏବେ ସରକାରକୁ ଆସିଲେ ତାଙ୍କର ସେହି ଦାବି ସେ ପୂରଣ କରନ୍ତୁ । ବିଜେଡି ବିଧାୟକ ଗଣେଶ୍ୱର ବେହେରା ମୂଳ ପଦବୀ ପୂରଣ, ନୂଆ ନିଯୁକ୍ତି, ଠିକା ନିଯୁକ୍ତି ଉଚ୍ଛେଦ ପ୍ରମୁଖ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି । ସେହିଭଳି ବିଜେଡି ବିଧାୟକ ରମେଶ ବେହେରା, ସାରଦା ପ୍ରସନ୍ନ ଜେନା ମଧ୍ୟ ବେକାରୀ ସମସ୍ୟା ପୂରଣ ନେଇ ସରକାର ସ୍ପଷ୍ଟ ବିବୃତି ରଖିବା କଥା ବୋଲି କହିଥିଲେ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପୂର୍ବ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ୨୦୨୨ ଅକ୍ଟୋବର ୧୬ ତାରିଖରେ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ନେଇ ଘୋଷଣା କରିଥିଲେ। ସେ ନେଇ କୌଣସି ପଦକ୍ଷେପ ଗ୍ରହଣ କରିଲେ ନାହିଁ । ନିର୍ବାଚନ ଆଗରୁ ଏଭଳି ଘୋଷଣା କରି ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ କିଭଳି ଭୁଆଁ ବୁଲାଇଲେ ଏହା ତାହାର ଏକ ଉଦାହରଣ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ଲୋକ ଗୁଜୁରାଟ ଯାଇ ବୟନଶିଳ୍ପକୁ ଉଚ୍ଚତର ସ୍ତରକୁ ନେଲେଣି । ହେଲେ ୨୪ ବର୍ଷ ଶାସନ କାଳରେ ସେ ଗଞ୍ଜାମ ପାଇଁ କିଛି କଲେଣି। ସେହିଭଳି ବିଜେପି ବିଧାୟକ ମାନସ ଦତ୍ତ ଓ ବିଭୂତି ଭୂଷଣ ପ୍ରଧାନ ପୂର୍ବ ବିଜେଡି ସରକାରକୁ ବେକାରୀ ସମସ୍ୟା ପାଇଁ ଦାୟୀ ବୋଲି କହିଛନ୍ତି ।