ଭୁବନେଶ୍ୱର(ରାଜ୍ୟକାହାଣୀ) ଓଡିଶାରୁ ପ୍ରଥମ କରି ବିଦେଶକୁ ରପ୍ତାନି ହୋଇଛି ଡ୍ରାଗନ ଫଳ। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରୁ ଭୁବନେଶ୍ୱର ବିମାନବନ୍ଦର ଦେଇ ଏହା ପହଂଚିଛି ଦୁବାଇରେ। ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ହୋଇଥିବା ଡ୍ରାଗନ ଫଳ ଦୁବାଇ ରପ୍ତାନୀ ହେଇଛି । ପୂର୍ବରୁ ଢେଙ୍କାନାଳର ଆମ୍ବ, ବଲାଙ୍ଗିରର ପୋଟଳ ବିଦେଶକୁ ଯାଇସାରିଛି । ଏବେ ସରକାର ମଧ୍ୟ କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇ ଉଦ୍ୟାନ କୃଷିକୁ ଆପଣେଇବାକୁ ପରାମର୍ଶ ଦେଉଛନ୍ତି । କିନ୍ତୁ ଏହି ଫଳର ଚାଷୀ ହେଉଛନ୍ତି ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ରାଜ ପରିବାରରେ ଜନ୍ମ ହୋଇଥିଲେ ସୁଦ୍ଧା ତାଙ୍କୁ ଚାଷ କରିବାକୁ ବେଶ ଭଲ ଲାଗେ ବୋଲି କହିଛନ୍ତି କନକ ବର୍ଦ୍ଧନ। ଏହି ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସେ। କେବଳ କନକ ବର୍ଦ୍ଧନ ନୁହନ୍ତି ଏଥିରେ ତାଙ୍କ ପତ୍ନୀ ରାଣୀ ତଥା ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ମଧ୍ୟ ସାମିଲ ହୋଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ନିଜକୁ ଜଣେ ଗର୍ବିତ ଚାଷୀ ଭାବେ ପରିଚୟ ଦେଇ କହିଛନ୍ତି , କୋଭିଡ ସମୟରେ ନେଇଥିବା ନିଷ୍ପତ୍ତି ଏବେ ଫଳପ୍ରସୂ ହୋଇଛି ଏବଂ ଘରୋଇ ବିମାନ କାର୍ଗୋ ଯୋଗେ ୪ କୁଇଣ୍ଟାଲ ଡ୍ରାଗନ ଫଳ ଦୁବାଇକୁ ରପ୍ତାନୀ କରାଯାଇଛି । ରାଜନୀତି କରିବା ଭିତରେ ବି ସେ ଚାଷ କାର୍ଯ୍ୟ ଜାରି ରଖିଥିଲେ । ଡ୍ରାଗନ ଫଳର ଚାହିଦା ବିଦେଶରେ ବହୁତ ଅଧିକ । ଏହି ଡ୍ରାଗନ ଫଳ ଚାଷ ସମ୍ପୂର୍ଣ୍ଣ ରୂପେ ଜୈବିକ ପ୍ରକ୍ରିୟାରେ ହୋଇଛି । ଯାହାଦ୍ୱାରା ଫଳର ପୌଷ୍ଟିକ ତତ୍ତ୍ୱ ଅକ୍ଷୁଣ୍ଣ ରହିବା ସହ ଅନ୍ୟ ରାସାୟନିକ ସାର ଦେଇ ଉତ୍ପାଦନ ହେଉଥିବା ଫଳ ତୁଳନାରେ ଅଧିକ ଦିନ ସତେଜ ରହିବ । ଡ୍ରାଗନ ଫଳ ସ୍ୱାସ୍ଥ୍ୟ ପକ୍ଷେ ଖୁବ ହିତକାରୀ । ଏହାର ସେବନ ଦ୍ୱାରା ଶରୀରରେ କ୍ୟାନ୍ସର୍, ଡାଇବେଟିସ, କୋଷ୍ଠକାଠିନ୍ୟ ଭଳି ବେମାରିର ସମସ୍ୟା ରହିବ ନାହିଁ ବୋଲି ଶ୍ରୀ ସିଂହଦେଓ ମତ ରଖିଛନ୍ତି ।
ରାଜ୍ୟ ସରକାରଙ୍କ ତରଫରୁ ଉଦ୍ୟାନ କୃଷି ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ସେଥିରେ କ୍ଷେତ ପୋଖରୀ, ସୁଗମ ଜଳସେଚନ ବ୍ୟବସ୍ଥା, ଡିବିଟି ମାଧ୍ୟମରେ ସବସିିଡ଼୍ ପ୍ରଦାନ ଇତ୍ୟାଦି ଏହିସବୁ ପ୍ରୋତ୍ସାହନରେ ଅନ୍ତର୍ଭୁକ୍ତ ଅଟେ । ଦିନକୁ ଦିନ ଚାହିଦା ବଢ଼ୁଥିବାରୁ ଆଜିର ଦିନରେ ଉଦ୍ୟାନ କୃଷିକୁ ଅଧିକ ଗୁରୁତ୍ୱ ଦିଆଯାଉଛି ଓ ଚାଷୀମାନେ ଖୁବ୍ କମ୍ ସମୟ ମଧ୍ୟରେ ଅଳ୍ପ ଖର୍ଚ୍ଚରେ ଲାଭବାନ୍ ମଧ୍ୟ ହେଇପାରୁଛନ୍ତି । ତେଣୁ ସରକାର ମଧ୍ୟ ସେହି ଅନୁରୂପ ଯୋଜନା ସବୁ ଖୁବଶୀଘ୍ର ପ୍ରଣୟନ କରିବେ । ଆଗାମୀ ଦିନରେ ଓଡିଶାରୁ ଉନ୍ନତ ମାନର କୃଷି ଉତ୍ପାଦ ବଡ଼ ଆକାରରେ ବିଦେଶକୁ ରପ୍ତାନୀ କରାଯିବା ଲକ୍ଷ୍ୟ ରହିଛି।