ସାରା ଦେଶରେ ପିଏମ୍-ସ୍ଵନିଧି (PM-SVANidhi) ଋଣ ପ୍ରଦାନ କାର୍ଯ୍ୟକ୍ରମ: ସାମିଲ ହେଲା ଓଡ଼ିଶା
ଭୁବନେଶ୍ୱର, ( ରାଜ୍ୟ କାହାଣୀ)ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆଜି କେରଳର ତିରୁବନନ୍ତପୁରମଠାରେ ଏକ ଲକ୍ଷ ‘ପିଏମ୍-ସ୍ଵନିଧି’ ଋଣ ପ୍ରଦାନ ଏବଂ ହିତାଧିକାରୀଙ୍କ ପାଇଁ କ୍ରେଡିଟ୍ କାର୍ଡ ଶୁଭାରମ୍ଭ ନିମନ୍ତେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ମଧ୍ୟ ରାଜ୍ୟର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ମାଧ୍ୟମରେ ଏହି ଐତିହାସିକ ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇଛି।
ଭୁବନେଶ୍ୱରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମାହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ତ୍ରୀ ମହୋଦୟ ହିତାଧିକାରୀଙ୍କୁ ପିଏମ୍-ସ୍ଵନିଧି ଋଣ ଓ କ୍ରେଡିଟ୍ କାର୍ଡ ବଣ୍ଟନ କରିବା ସହ ଏହି ଯୋଜନା ମାଧ୍ୟମରେ ସ୍ଵାବଲମ୍ବୀ ହୋଇଥିବା ତିନିଜଣ ସଫଳ ହିତାଧିକାରୀଙ୍କୁ (ଯେଉଁଥିରେ ଦୁଇଜଣ ମହିଳା ଅଛନ୍ତି) ସମ୍ବର୍ଦ୍ଧିତ କରିଥିଲେ। ପଥପ୍ରାନ୍ତ ବିକ୍ରେତାଙ୍କ ଜୀବନରେ ଏହି ଯୋଜନାର ପରିବର୍ତ୍ତନକାରୀ ପ୍ରଭାବ ସମ୍ପର୍କରେ ସେ ଆଲୋକପାତ କରିଥିଲେ।
ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ପଥପ୍ରାନ୍ତ ବିକ୍ରେତାମାନେ ସହରାଞ୍ଚଳର ଅର୍ଥନୀତିର ମେରୁଦଣ୍ଡ। ସେମାନେ ଶସ୍ତାରେ ସାମଗ୍ରୀ ଯୋଗାଇବା ସହ ବ୍ୟାପକ ସ୍ଵରୋଜଗାର ସୃଷ୍ଟି କରୁଛନ୍ତି। ପିଏମ୍-ସ୍ଵନିଧି ଯୋଜନା କେବଳ ସେମାନଙ୍କ ଜୀବିକା ନୁହେଁ, ବରଂ ସେମାନଙ୍କ ସମ୍ମାନ, ଆତ୍ମବିଶ୍ୱାସ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ସୁଦୃଢ଼ କରୁଛି।
ଯୋଜନାର ମୁଖ୍ୟ ବିଶେଷତ୍ୱ:
- ଋଣ ସୁବିଧା: ବିନା ବନ୍ଧକରେ ପ୍ରଥମେ ୧୫,୦୦୦ ଟଙ୍କା ଏବଂ ପରେ ସଠିକ୍ ସମୟରେ ପରିଶୋଧ କଲେ ୨୫,୦୦୦ ଓ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ମିଳିବାର ବ୍ୟବସ୍ଥା ରହିଛି।
- କ୍ରେଡିଟ୍ କାର୍ଡ: ନୂତନ ଭାବେ ଆରମ୍ଭ ହୋଇଥିବା କ୍ରେଡିଟ୍ କାର୍ଡ ଦ୍ୱାରା ବ୍ୟବସାୟୀମାନେ ନମନୀୟ ଋଣ ସୁବିଧା ପାଇପାରିବେ।
- ଓଡ଼ିଶାର ସଫଳତା: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୧୦,୧୨୮ ଜଣ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି, ଯାହାଦ୍ୱାରା ୧.୧୦ ଲକ୍ଷରୁ ଅଧିକ ପରିବାର ଉପକୃତ ହୋଇଛନ୍ତି।
ଓଡ଼ିଶାରେ ଏହି ଯୋଜନାକୁ ଅନ୍ୟ ୮ଟି ସାମାଜିକ କଲ୍ୟାଣକାରୀ ଯୋଜନା ସହ ମିଶ୍ରଣ କରାଯାଇଛି। ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (୧୨,୩୯୧ ଜଣ), ଜୀବନ ଜ୍ୟୋତି ବୀମା ଯୋଜନା (୬,୪୨୧ ଜଣ), ଜନ-ଧନ ଯୋଜନା (୧,୩୮୭ ଜଣ) ସମେତ ‘ୱାନ ନେସନ ୱାନ ରାସନ କାର୍ଡ’, ଶ୍ରମ ଯୋଗୀ ମାନଧନ ଯୋଜନା ଏବଂ ପିଏମ୍ଏୱାଇ (PMAY) ର ଶତ ପ୍ରତିଶତ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ ଯୋଗ ଦେଇଥିଲେ। ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଡାକୁଆ କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖିଥିବା ବେଳେ ସୁଡା (SUDA) ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର ସାହୁ ସ୍ୱାଗତ ଭାଷଣ ଏବଂ ବିଏମସି (BMC) ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।