ଶ୍ରୀମନ୍ଦିରରେ ବନକ ଲାଗି ନୀତି:ସାଢ଼େ ୪ ଘଣ୍ଟା ଦର୍ଶନ ବନ୍ଦ

ରାଜ୍ୟ କାହାଣୀ (ଭୁବନେଶ୍ୱର )ଶ୍ରାବଣ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ଟା ୩୦ରୁ ରାତି ୧୧ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବାର ପରମ୍ପରା ରହିଛି। ବନକଲାଗିରେ ମୁଖ୍ୟତଃ ଚାରି ପ୍ରକାର ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇଥାଏ, ସେଗୁଡିକ ହେଲା କଳା, ଧଳା, ନାଲି ଓ ହଳଦିଆ । ଏଥିରୁ ଅଧିକାଂଶ ବନଜାତ ଦ୍ରବ୍ୟ । ହିଙ୍ଗୁଳକୁ ହଳଦିଆ ରଙ୍ଗ ଭାବେ ବ୍ୟବହାର କରାଯାଏ । ହରିତାଳ ଲାଲ ରଙ୍ଗ ପାଇଁ ଦରକାର । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମ୍ପାଦନ ବେଳେ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥାଏ।

You might also like