ଲୋକଙ୍କ ଅଭିଯୋଗ ସମାଧାନର ସମୟସୀମା ଧାର୍ଯ୍ୟ ହେଉ    

ଭୁବନେଶ୍ବର, (ରାଜ୍ୟକାହାଣୀ) ତୃଣମୂଳ ସ୍ତରରେ ଲୋକଙ୍କ ଅଭିଯୋଗ ସମାଧାନ ହେଲା କି ନାହିଁ ତାହା ଜଣାପଡୁନାହିଁ । ସମୟସୀମା ନଥିବାରୁ ଅଭିଯୋଗ ସମାଧାନରେ ବିଳମ୍ବ ହେଉଛି । ଦୀର୍ଘ ଦୀନ ଧରି ଜିଲ୍ଲା ସ୍ତରରେ କରାଯାଉଥିବା ଅଭିଯୋଗ ଗୁଡିକ ପଡିରହୁଛି । ଏହିସବୁ ଅଭିଯୋଗଗୁଡିକର ସମାଧାନ ଲାଗି ସମୟ ନିର୍ଦ୍ଧାରଣର ଆବଶ୍ୟକତା ରହିଛି ବୋଲି ବିଧାନସଭା ପ୍ରଶ୍ନକାଳରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହି ଉଦବେଗ ପ୍ରକାଶ କରିଛନ୍ତି । ସୋମବାର ବିଧାୟକ ଟଙ୍କଧର ତ୍ରିପାଠୀ ମୂଳ ପ୍ରଶ୍ନରେ ବ୍ଲକକୁ ଆସୁଥିବା ଲୋକଙ୍କ ଅଭିଯୋଗ ସମାଧାନ ପାଇଁ କଣ ପଦକ୍ଷେ ନିଆ ଯାଇଛି ଓ କିଛି ସମୟ ସୀମା ନିର୍ଦ୍ଧାରିତ ଅଛି କି ବୋଲି ପ୍ରଶ୍ନ କରିଥିଲେ। ସମୟସୀମା ନ ଥିବାରୁ ଅନେକ ସ୍ଥାନରେ ଲୋକଙ୍କ ମନରେ ବିତୃଷ୍ଣା ଭାବ ଚାଲି ଆସୁଛି। ତେବେ ତାଙ୍କ ପ୍ରଶ୍ନର ଗୃହରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଊର ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜିଲ୍ଲାସ୍ତରରେ ଯୁଗ୍ମ ଶୁଣାଣି ହେଉଛି। ଜିଲ୍ଲାପାଳ ଓ ଏସପିମାନେ ରହି ଶୁଣାଣି କରୁଛନ୍ତି। ସେହି ଅଭିଯୋଗ ଶୁଣାଣି ବେଳେ ବିଧାୟକମାନେ ଯୋଗଦାନ କଲେ ଅଧିକ ଲୋକଙ୍କ ସମସ୍ୟାର ସମାଧାନ ଅଧିକ ହୋଇପାରିବ। କାରଣ ବିଧାୟକ ରହି ପାରିଲେ, ଯେତେ ଦୂର ସମ୍ଭବ, ଲୋକଙ୍କ ସମସ୍ୟାର ସମାଧାନ ନିଷ୍ଠା ସହ କରାଯାଇପାରିବ। ତେବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧ ପ୍ରତିଶତ ସମାଧାନ ହୋଇଛି। ତେବେ ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ୧୩,୩୫୮ଟି ଅଭିଯୋଗ ଆସିଛି। ଯେଉଥିରୁ ୧୨, ୪୩୨ ଅଭିଯୋଗର ସମାଧାନ ହୋଇ ସାରିଛି। ଜିଲ୍ଲା, ଉପଖଣ୍ଡ ଓ ତହସିଲ ସ୍ତରରେ ବି ପ୍ରତି ସୋମବାର ଅଭିଯାଗ ଶୁଣାଣି କାର୍ଯ୍ୟକ୍ରମ ଚାଲୁଛି। ମୋଟ ୧୪ ଲକ୍ଷ ୪୧ ହଜାର ୮୩୨ ଟି ଅଭିଯାଗ ଜନ ଶୁଣାଣି ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ବେଳେ ଏଥିରୁ ୧୩ ଲକ୍ଷ ୭ ହଜାର ୨୫୩ଟି ଅଭିଯୋଗର ସମାଧାନ ହୋଇଛି। ବାକି ଥିବା ୧ ଲକ୍ଷ ୩୪ ହଜାର ୫୭୯ଟି ଅଭିଯୋଗ ମଧ୍ୟରୁ ଅଧିକାଂଶ ଜଟିଳ ଅଛି। ଏହାର ସମାଧାନ ପାଇଁ ବିଭିନ୍ନ ଦିଗ ଉପରେ ବିଚାର ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

ଅଭିଯୋଗ ଶୁଣାଣି ପାଇଁ ଆସୁଥିବା ବହୁ ଲୋକଙ୍କର ଅଭିଯୋଗ ପରେ ମଧ୍ୟ ଏହାର ସମାଧାନ ହେଉନି। ଅଭିଯୋଗ ଶୁଣାଣିର ସ୍ଥିତି ସମ୍ପର୍କରେ ବିଧାୟକମାନେ ମଧ୍ୟ ଜାଣି ପାରୁ ନାହାନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି। ସୋମବାର ବିଧାନସଭାର ପ୍ରଶ୍ନକାଳରେ ପ୍ରମିଳା ମଲ୍ଲିକ, ବ୍ଲକ ଓ ତହସିଲ ସ୍ତରରେ କେତେ ଅଭିଯୋଗ ଆସୁଛି, ତାହାର ତାଲିକା ମଧ୍ୟ ଜାରି କରିବାକୁ ଦାବି କରିଛନ୍ତି। ଏହାବ୍ୟତୀତ ୱେବ୍ସାଇଟ୍ ଖୋଲୁନଥିବାରୁ ରାସନ ଚାଉଳ ଓ ପିଏମ ଆବାସ ଘର ତତକ୍ଷଣାତ ମିଳିବା କଥାକୁ ସେ ଖଣ୍ଡନ କରିଛନ୍ତି।

You might also like