ରାଜ୍ୟ ରେ ନୂଆ ଦଳ,ନା’ ପ୍ରେସର ଗ୍ରୁପ ?
ଭୁବନେଶ୍ଵର(ରାଜ୍ଯକାହାଣୀ)ବିଜୁ ପଟନାୟକଙ୍କ ମୃତ୍ୟୁ ପରେ ତାଙ୍କ ବଡ ପୁଅ ପ୍ରେମ ପଟନାୟକ କି ଝିଅ ଗୀତI ମେହେଟା, ରାଜନୈତିକ ଉତ୍ତରାଧିକାରୀ ହେବାକୁ ଚାହିଁଲେ ନାହିଁ I ବାକି ରହିଲେ ସାନ ପୁଅ ନବୀନ I ପ୍ରଥମେ ସେ ଆଗ୍ରହୀ ନଥିଲେ ; ମାତ୍ର ପରିବାର ର ଚାପ ଓ କିଛି ଦଳୀୟ ନେତା ଙ୍କ ବୁଝା-ଶୂଝା ପରେ ନବୀନ ରାଜିହେଲେ ଓ ଉପ ନିର୍ବାଚନ ରେ ଠିଆ ହେଇ ପାର୍ଲିଆମେଣ୍ଟ ଗଲେ I 1997 ଡିସେମ୍ବର I ବିଜେପି ସହ ଗଠବନ୍ଧନ କଥା କୁ ନେଇ ରାଜ୍ୟରେ ଜନତାଦଳ ବିଭାଜିତ ହେଲା ଓ ବିଜୁ ବାବୁଙ୍କ ଅନୁଗତ କିଛି ନେତାଙ୍କୁ ନେଇ ନବୀନ ବିଜୁ ଜନତା ଦଳ ଗଠନ କଲେ I ସର୍ବ ସଂମତି ରେ ନବୀନ ବିଜେଡି ର ସଭାପତି ହେଲେ I ଯେଉଁ କେତେ ନେତା ନବୀନ ଙ୍କ ସଂଗେ ଦଳ ଛାଡି ଆସି ବିଜୁ ଙ୍କ ନାଁ ରେ ବିଜେଡି ଗଠନ କଲେ ସେମାନଙ୍କ ଭିତରେ ପ୍ରମୁଖ ଥିଲେ, ବିଜୟ ମହାପାତ୍ର ଓ ଦିଲୀପ ରାୟ I ନବୀନ ଙ୍କୁ ଆଣି ଉପନିର୍ବାଚନ ଲଢେଇ ଏମପି କରିବାଠୁ , ବିଜେଡି କରି ନବୀନ ଙ୍କୁ ଦଳର ସଭାପତି କରିବା ପର୍ଯନ୍ତ ସବୁଥିରେ ଏ ଦୁହିଁଙ୍କର ପ୍ରଚେଷ୍ଟା ଥିଲା I ‘ବିଜୁ ଲିଗIଶୀ କୁ ଆଗକୁ ବଢାଇବା ଓ ନିର୍ବାଚନରେ ଲୋକ-ସମର୍ଥନ ହାସଲ କରିବା ପାଇଁ ବିଜୁ ଙ୍କ କେହି ଦାୟାଦ ଙ୍କୁ ଆଗକୁ ଆଣିବା ଜରୁରୀ ଥିଲା,’ କେତେ ଥର ଉତ୍ତର ଦେଇ ବିଜୟ ଓ ଦିଲୀପ ପ୍ରେସ କୁ ଏକଥା କହିଛନ୍ତି I
ଏସବୁ ଆଜି ଲେଖିବା ପଛରେ କାରଣ ବଡ ରୋଚକ I ଗତ କେତେବର୍ଷ ଭିତରେ ଯେତଥର ଓଡ଼ିଶାରେ ନୂଆ ଦଳ କୁ ନେଇ ଆଲୋଚନା ହେଇଛି ସେ ସବୁ ବୈଠକ ପ୍ରାୟ ହେଇଛି ବିଜୟ ମହାପାତ୍ରଙ୍କ ପୌରୋହିତ ରେ I ଆଲୋଚନା ର ନେତୃତ୍ୱ ବିଜୟ ନିଅନ୍ତି Iକେତେ ବର୍ଷ ତଳେ ଏହି ନେତା , ନିର୍ବାଚନ ରେ ଜନ-ସମର୍ଥନ ନିଜେ ଯୁଟାଇ ପାରିବେନି ବୋଲି, ନିହାତି ଅନଭିଜ୍ଞ ନବୀନ ଙ୍କୁ ଆଣି ତାଙ୍କ ହାତରେ ନେତୃତ୍ୱ ର କମାଣ ଧରେଇ ଦେଇଥିଲେ I ସେତେବେଳେ ବିଜୟ ଙ୍କୁ 46 କି 47 ହେଇଥିବ I ଏବେ ସେ 75 ଉପରେ I ରୋଚକ କଥା ଟି ହେଲା, ଯିଏ ପାରିବେନି ବୋଲି ଅନ୍ୟକୁ ନେତା କରିଥିଲେ ଆଜି ତାଙ୍କ ନେତୃତ୍ୱ ଭରସା ରେ ଏ ମେଳି I ମେଡିଆ ଯାହାକୁ କହୁଛି ‘ନୂଆ ଦଳ ଗଢା ହବ !’
ସଫଳ ନେତୃତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା, ନିଜ ର ଦୁର୍ବଳତା କୁ ଆଗେ ଚିହ୍ନଟ କରିବା ଓ ସେଇ ମତେ ଲକ୍ଷ ଓ ଯୋଜନା ପ୍ରସ୍ତୁତ କରିବା I 1997 ରେ ସେଦିନ ବିଜୟ ମହାପାତ୍ର ନିଜ ଦୁର୍ବଳତା କୁ ସଠିକ ଚିହ୍ନଟ କରି ନଥିଲେ ଆଜି ଇତିହାସ କିଛି ଅଲଗା ହେଇଥାନ୍ତା I ବିଜୟ ଙ୍କ ଠୁ ଅନ୍ୟମାନେ ଏ କଥା ଶିଖିବା ଉଚିତ I ନବୀନ ରାଜନୀତି ରେ ଅନାଡୀ ଥିଲେ I ତାଙ୍କର କିଛି ଭିଜନ ନଥିଲା I ସେ ଓଡ଼ିଆ କହିପାରୁ ନଥିଲେ I ଲୋକେ ତାଙ୍କୁ ଆଗରୁ ଦେଖି ବି ନଥିଲେ I ତା’ପରେ ବି ଲୋକେ ତାଙ୍କୁ ଭୋଟ ଦେଲେ Iଏ ସବୁ ଚମତ୍କାରୀ ପଛରେ ଥିଲା ବିଜୁ ଲିଗାସୀ, ଯାହାର ଉତ୍ତରାଧିକାରୀ କେବଳ ଦାୟାଦ ହିଁ ହେଇପାରିବ I ଆଞ୍ଚଳିକ ଦଳଟିଏ କରିବାପାଇଁ ଖାଲି ପଇସା ନୁହେଁ ଲିଗାସୀ ବି ଦରକାର , ଚେହେରା ବି ଦରକାର I ନବୀନ ତାଙ୍କ ଶେଷ ପାଳିରେ ବିଜୁ ଲିଗାସୀକୁ ଛାଡି ବାଟ ହୁଡ଼ିଲେ I ବାପା ଙ୍କ ଫୋଟୋ ବି ପ୍ରଚାର ରୁ କାଢ଼ିଦେଲେ I ନିଜ ଚେହେରା କୁ ବି ଖରାପ କଲେ; ବୋଧହୁଏ ସବୁଦିନ ପାଈଁ ! ଗତ ନିର୍ବାଚନ ଫଳାଫଳ ଏସବୁ ପ୍ରମାଣିତ କଲା Iତେଣୁ ‘ଓଡ଼ିଶାରେ ନୁଆ ଦଳ’ ରାଜନୈତିକ ବୟାନ ବାଜି, ଆତ୍ମ ପ୍ରଚାର ତଥା ମେଡିଆ-ମଣ୍ଡନ ରୁ ଯେ ଆଗକୁ ବଢିବ ତାହା ଦେଖାଯାଉନାହିଁ I ଟଙ୍କାର ଲୋଭରେ କି ଇଡି/ସିବିଆଇ ଚାପ ରେ ଯଦି ବି ଆଗାଏ ତାହା ଆଗରୁ ଥିବା ‘ଆମ ଓଡିଶା ପାର୍ଟି, ଓଡିଶା ଜନ ମୋର୍ଚ୍ଚା କି ଓଡିଶା ଗଣ ପରିଷଦ’ ଭଳି ଦଳ ସାଙ୍ଗରେ ଯୋଡି ହେଇ ଫାଇଲ ରେ ରହିବ I
ଯେଉଁ ସବୁ ନେତାଙ୍କୁ ଆମେ ବୈଠକ ରେ ଦେଖୁଚୁ, ମୋକିମ ଙ୍କୁ ଛାଡି ବାକି ସମସ୍ତେ 72 -73 ବର୍ଷ ବୟସ ଉପରେ I ପ୍ରଚୁର ଅଭିଜ୍ଞାତା ର ଅଧିକାରୀ ସମସ୍ତେ I ଲୋକେ ସେମାନଙ୍କ କଥା ବି ଶୁଣନ୍ତି, ଯୁକ୍ତି ତର୍କ ବେଳେ ସେମାନଙ୍କ କଥା କୁ ଉଦ୍ଧୃତ ବି କରନ୍ତି I ଅନ୍ୟ ଉର୍ନତ ରାଜ୍ୟ ମାନଙ୍କ ରେ ଯେମିତି ‘ନାଗରୀକ ମଂଚ’ ରହିଛି ସେମିତି ପ୍ରଭାବଶାଳୀ ମଂଚ ଓଡ଼ିଶାରେ ନାହିଁ I ଏହି ମଂଚ ନୀରଦଳୀୟ ‘ପ୍ରେସର ଗ୍ରୁପ’ ବା ‘Think Tanks’ ଭଳି କାମ କରେ I ସାମ୍ପ୍ରତିକ ରାଜନୀତି ରୁ ଉପରକୁ ଉଠି ଏହି ନେତାମାନେ ଯଦି ଏଭଳି କିଛି ମଂଚ କରନ୍ତେ ତେବେ ତାହା ରାଜନୀତି, ପ୍ରଶାସନ ଓ ସର୍ବୋପରି ରାଜ୍ୟ ସ୍ୱାର୍ଥରେ ସବୁ ଠାରୁ ବଡ ପ୍ରଭାବଶାଳୀ ଶକ୍ତି ଭାବେ ଉଭା ହୁଅନ୍ତା I ସାଧାରଣ ଜନତା ର ଆଦୃତି ଲାଭ କରନ୍ତା I