ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବିଜେଡି ବିଧାୟିକା ବର୍ଷା ସିଂ ବରିହା
ରାଜ୍ୟକାହାଣୀ ( ଭୁବନେଶ୍ୱର )ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓଡ଼ିଶାର ଇତିହାସ, ସଂସ୍କୃତି ଓ ପରମ୍ପରା ଜାଣିନାହାନ୍ତି । ମାରାଗୁଡ଼ା ଇତିହାସରେ ଭଣଜା, ଭାଣିଜୀଙ୍କୁ ଈଶ୍ୱର ସମାନ ବିବେଚନା କରାଯାଏ । ତାଙ୍କ ପାଦ ଧୋଇ ତାକୁ ପାଦୁକା ଭାବେ ପିଆଯାଏ । କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ମା’ କିମ୍ୱା ଭଣଜା, ଭାଣିଜୀଙ୍କୁ କେହି ପର ବୋଲି ବିବେଚନା କରିନଥାନ୍ତି । ଭଣଜା, ଭାଣିଜୀଙ୍କୁ ପର ବୋଲି କହିବା କେଉଁଠିକାର ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି ପଦମପୁର ବିଜେଡି ବିଧାୟିକା ବର୍ଷା ସିଂ ବରିହା । ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ‘ବାପ ଘର ପର, ମାମୁଁ ଘର ସାତ ପର’ ମନ୍ତବ୍ୟକୁ କଡ଼ା ଜବାବ୍ ଦେଇ ଶ୍ରୀମତୀ ବରିହା କହିଛନ୍ତି ଯେ, ଯଦି ପ୍ରକୃତରେ କୌଣସି ସ୍ଥାନର ଉନ୍ନତି କରିବାକୁ ଚାହୁଁଛ ତା ହେଲେ ସେହି ସ୍ଥାନର ଇତିହାସକୁ ଭଲ ଭାବେ ଜାଣି ରଖିବା ଆବଶ୍ୟକ। କିନ୍ତୁ ଉପମୁଖ୍ୟମନ୍ତ୍ରୀଙ୍କ କଥାରୁ ଜଣାପଡୁଛି ଏଠାକାର ପରମ୍ପରା, ଇତିହାସ, ସଂସ୍କୃତି ସମ୍ପର୍କରେ ତାଙ୍କର ସାମାନ୍ୟତମ ଜ୍ଞାନ ନାହିଁ।ଶ୍ରୀମତୀ ବରିହା ଆହୁରି କହିଥିଲେ ଯେ, ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ସରକାରଙ୍କୁ ମୁଁ ପଚାରିବାକୁ ଚାହୁଁଛି, ମା’ ମାନଙ୍କୁ ନେଇ ସୁଭଦ୍ରା ସମାବେଶ କରୁଛନ୍ତି । କିନ୍ତୁ ସୁଭଦ୍ରାରୁ ବଞ୍ଚିତ କେତେ ଜଣ ମା’ ମାନଙ୍କ ଦୁଃଖ ଶୁଣିଛନ୍ତି? ଟଙ୍କା ମିଳି ନଥିବାରୁ ଶ୍ରୀମତୀ ପରିଡ଼ାଙ୍କ ପାଖକୁ ଗୁହାରି ଜଣାଇବା ପାଇଁ ଯାଉଥିବା ମା’ ମାନଙ୍କୁ ଅସମ୍ମାନ କରାଯାଉଛି । ଯେଉଁ ସୁଭଦ୍ରା ନାମରେ ଭୋଟ ମାଗିଲେ, ଏବେ ସେହି ମାନଙ୍କୁ ନିଜ ପାଖରେ ପୁରାଉ ନାହାନ୍ତି । ଦୁଇ ବର୍ଷରେ ୫୦ ହଜାର ଟଙ୍କା ଦେବେ ବୋଲି କହିଲେ, କ୍ଷମତାକୁ ଆସିବା ପରେ ୫ ବର୍ଷରେ ଦେବା କଥା କହୁଛନ୍ତି ।