ପୋଲିସ କବଜାରୁ ଜୋରଜବରଦସ୍ତି ଚୋରା ବାଲିବୋଝେଇ ଟ୍ରାକ୍ଟରକୁ ଅପହରଣ କଲେ ବାଲିମାଫିଆ

ନୀଳଗିରି – (ରାଜ୍ଯକାହାଣୀ)ଦିନକୁଦିନ ବଢୁଛି ବାଲିମାଫିଆଙ୍କ ଆତଙ୍କରାଜ। ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଚ ଦେଇ ମାଫିଆମାନେ ଶହଶହ ଟ୍ରିପ୍ ସୋନନଦୀରୁ ବାଲି ଚୋରାଚାଲାଣ କରି ମାଲେମାଲ୍ ହେଉଥିବାରୁ ବାରମ୍ବାର ଗାଁଲୋକ ଅଭିଯୋଗ କରିଆସୁଥିଲେ। ବାଲି ମାଫିଆମାନେ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ଫାଙ୍କି ନିଜର ଫାଇଦା ଉଠାଇବାକୁ ଯାଇ ଚଢ଼ାଦରରେ ପୋଡଶୀ ମୟୂରଭଞ୍ଜ , ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବାଲି ଚୋରାଚାଲାଣ କରୁଛନ୍ତି। ବାଲି ମାଫିଆମାନଙ୍କୁ ଧରିବାପାଇଁ ବହୁବାର ଖଣିଜବିଭାଗ ଚଢ଼ାଉ କରୁଥିଲେ ହେଁ ବାଲିମାଫିଆ ମାନେ ଖବରପାଇ ଘଟଣା ସ୍ଥଳରୁ ଫେରାର ହୋଇଯାଉଥିଲେ।ବୁଧବାର ବିଶେଷସୂତ୍ରରୁ ଖବରପାଇ ଦିନ ପ୍ରାୟ ୧୦ଟା ସମୟରେ ମାଇନିଙ୍ଗ ବିଭାଗ ଓ ପୋଲିସ ବିଭାଗ ଦିନପ୍ରାୟ ୧୦ଟା ସମୟରେ ମିଳିତ ଭାବେ ବାଲିପାଳ ପୋଲ ନିକଟରେ ଗୋଟିଏ ଚୋରାବାଲି ଟ୍ରକକୁ ଜବତ କରିଥିଲେ। ଉକ୍ତ ବାଲି ବୋଝେଇ ଚୋରା ଟ୍ରାକ୍ଟରକୁ ଥାନାକୁ ନେଇ ଆସୁଥିବା ବେଳେ ତିନିଦେଶ ଅଞ୍ଚଳର ପ୍ରାୟ ୨୦/୨୫ଜଣ ବାଲିମାଫିଆ ଏପିଆର ଷ୍ଟାଫ ଉମାକାନ୍ତ ସିଂଙ୍କୁ ଧମକାଇ ଉକ୍ତ ଚୋରାବାଲି ଟ୍ରାକ୍ଟର ସହ ସଂପୃକ୍ତ ପୋଲିସ କନେଷ୍ଟବଳକୁ ଅପହରଣ କରିନେଥିଲେ। କିଛିବାଟ ଯିବାପରେ ପ୍ରତାପୁର ଠାରେ ଟ୍ରାକ୍ଟରରେ ବସିଥିବା ପୋଲିସକୁ ଟ୍ରାକ୍ଟରରୁ ଠେଲିଦେଇ ଟ୍ରାକ୍ଟର ନେଇ ଚଂପଟ ମାରିଥିଲେ। ଅପହରଣକାରୀ ମାନଙ୍କୁ ପଛପଟୁ ମାଇନିଙ୍ଗ ବିଭାଗ ଓ ପୋଲିସ ବିଭାଗ ପିଛାକରି ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ହେଲେ ଚୋରାବାଲି ବୋଝେଇ ଟ୍ରାକ୍ଟରଟିକୁ ନେଇ ଚମ୍ପଟ ମାରିଥିଲେ ମାଫିଆ। ଏହି ଟ୍ରାକ୍ଟରକୁ ଧରିବାପାଇଁ ପୋଲିସ ତନାଘନା ଚଳାଇଥିଲେ ମଧ୍ୟ ଖବର ଲେଖାହେବ ବେଳକୁ ଉକ୍ତ ଚୋରା ଟ୍ରାକ୍ଟରଟି ଧରାପଡ଼ିନଥିବା ସୂଚନା ମିଳିଛି। ତେବେ ମାଇନିଙ୍ଗ ଅଧିକାରୀ ଜୀତେନ୍ଦ୍ର କୁମାର ଦାସ, ସମ୍ବିତ କୁମାର ମଣି ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ ୩୬୩/୨୫ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ସୂଚନା ମିଳିଛି।କିଛି ମାସ ପୂର୍ବରୁ ସେହି ଅଞ୍ଚଳରେ ମାଇନିଙ୍ଗ ଅଧିକାରୀଙ୍କୁ ଦୁର୍ବ୍ୟବହାର ସହ ମାଡ଼ମାରିବା ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣି ଏହି ଘଟଣା ଘଟିବା କେଉଁଠି ନା କେଉଁଠି ପ୍ରଶାସନର ପାରିବାପାଣିଆ ଉପରେ ପ୍ରଶ୍ନ ଉଠିଛି।ଯଦି ଏଠି ପୋଲିସ ସୁରକ୍ଷିତ ନୁହନ୍ତି ତେବେ ସାଧାରଣ ଲୋକ କେତେ ସୁରକ୍ଷିତ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

You might also like