ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ୧୪ ପ୍ରାର୍ଥୀଙ୍କୁ ମିଳିଲା ନିର୍ବାଚନ ପ୍ରତୀକ
ରାଜ୍ୟକାହାଣୀ ( ଭୁବନେଶ୍ୱର )କମ୍ପିଲାଣି ନୂଆପଡ଼ା ବ୍ୟାଟଲ ଗ୍ରାଉଣ୍ଡ । ଜୋର ଧରୁଛି ପ୍ରଚାର । ନୂଆପଡ଼ା ବିଧାନସଭା ଉପନିର୍ବାଚନ ରଣାଙ୍ଗନରେ ଅଛନ୍ତି ୧୪ ପ୍ରାର୍ଥୀ । ଗତକାଲି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି । ନୂଆପଡା ଦେଖିବ ମହାଯୋଦ୍ଧାଙ୍କ ମହାଲଢେଇ। ଗ୍ରାଉଣ୍ଡକୁ ଓହ୍ଲାଇଲେଣି ସବୁ ଦଳର ମହାଯୋଦ୍ଧା । ତେବେ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ ପ୍ରତୀକ ପ୍ରଦାନ କରାଯାଇଛି । ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁଙ୍କ ଉପସ୍ଥିତିରେ ଆର୍ ଓ ତଥା ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ପ୍ରତୀକ ପ୍ରଦାନ କରିଛନ୍ତି । ଇଣ୍ଡିଆନ୍ ନେସନାଲ କଂଗ୍ରେସ ଦଳର ଘାସିରାମ ମାଝୀଙ୍କୁ ହାତ ଚିହ୍ନ , ଭାରତୀୟ ଜନତା ପାର୍ଟି ଜୟ ଢୋଲକିଆଙ୍କୁ ପଦ୍ମଫୁଲ , ବିଜୁ ଜନତା ଦଳ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ, ସମାଜବାଦୀ ପାର୍ଟି ରମାକାନ୍ତ ହାତୀଙ୍କୁ ସାଇକଲ, ଓଡ଼ିଶା ଜନତା ପାର୍ଟିର ଶୁକଧର ଦଣ୍ଡସେନାଙ୍କୁ ବଂଶୀ ଚିହ୍ନ ପ୍ରଦାନ କରିଥିବା ବେଳେ ଅନ୍ୟ ୮ ଜଣ ସ୍ବାଧୀନ ପ୍ରାର୍ଥୀଙ୍କୁ ବିଭିନ୍ନ ପ୍ରତୀକ ପ୍ରଦାନ କରାଯାଇଛି lବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ସ୍ତ୍ରୀ ଓ ମାଆ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିଛନ୍ତି । ବିଜେଡି ମହିଳା ମାନଙ୍କୁ ଏକାଠି କରି ପ୍ରଚାର ଚଳାଇଛି । ବରିଷ୍ଠ ନେତା ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ବିଧାୟିକା ଦୀପାଳି ଦାସ ପ୍ରଚାର କରିଛନ୍ତି । କଂଗ୍ରେସ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି। ଘାସିରାମ ମାଝୀଙ୍କ ପାଇଁ ନିଜେ ପିସିସି ସଭାପତି ଭକ୍ତ ଦାସ ୱାର୍ଡରୁ ୱାର୍ଡ, ପଡ଼ାରୁ ପଡ଼ା ବୁଲି ବୁଲି ପ୍ରଚାର କରୁଛନ୍ତି ।