ନିଆରା ବାହାଘର, ବିବାହବନ୍ଧନରେ ବାନ୍ଧିହେଲେ ବର ଅଶ୍ଵସ୍ଥ ବୃକ୍ଷ।

ନୀଳଗିରି – ବାଜା,ବାଣ,ରୋଷଣୀ ଓ ବ୍ରାହ୍ମଣର ମନ୍ତ୍ରୋଚାରଣ ସହିତ ବରକନ୍ୟାଙ୍କ ହାତଗଣ୍ଠି ପଡ଼ିଲା। ଶହଶହ ସଂଖ୍ୟାରେ ଶୁଭେଚ୍ଛୁଙ୍କ ଗ୍ରହଣରେ ଦଶଦିଗପାଳଙ୍କୁ ସାକ୍ଷୀରଖି ଉଭୟ ବରକନ୍ୟା ଜନ୍ମଜନ୍ମାନ୍ତର ପାଇଁ ବିବାହବନ୍ଧନରେ ବାନ୍ଧିହେଲେ। ମାତ୍ର ଏହାଏକ ସାଧାରଣ ବିବାହ ନଥିଲା। ପ୍ରକୃତି ଓ ପରିବେଶକୁ ଭଲପାଉଥିବା ନରଣପୁର ଗ୍ରାମର ସମାଜସେବୀ କ୍ଷେତ୍ରମୋହନ ସାହୁଙ୍କ ଦ୍ଵାରା ଉଡାପୋଖରୀ ତୁଠରେ ଲଗାଯାଇଥିବା ବରଅଶ୍ୱତ୍ଥ ବୃକ୍ଷର ବିଭାଘର ଉତ୍ସବ ଥିଲା। ଉପସ୍ଥିତଥିବା ହଜାର ହଜାର ସଂଖାରେ ଲୋକଙ୍କୁ ଭୋରି ଭୋଜନ ରେ ଆପ୍ୟାୟିତ କରାଯାଇଥିଲା। ନରଣପୁର ଗ୍ରାମର କ୍ଷେତ୍ରମୋହନ ସାହୁ ଓ ତାଙ୍କପତ୍ନୀ ସୁଭଦ୍ରା ସାହୁ ବରପକ୍ଷର ସମସ୍ତ ବ୍ୟବସ୍ଥା କରିଥିବା ବେଳେ ପୋଡାଶୁଳ ଜଗନ୍ନାଥପୁର ଗ୍ରାମର କାର୍ତ୍ତିକ ବେହେରା ଓ ତାଙ୍କ ଧର୍ମପତ୍ନୀ ସୁକାନ୍ତି ବେହେରା ଝିଅ ଅଶ୍ୱତ୍ଥର ବୈବାହିକ କର୍ମ କରିଥିଲେ। ମାନବ ସମାଜର ପ୍ରଚଳିତ ସମସ୍ତ ପ୍ରଥା, ପରମ୍ପରା ଅନୁଯାୟୀ ଉଭୟ ବରକନ୍ୟାଙ୍କ ବିଭାଗ କରାଯାଇଥିଲା। ତିନିଜଣ ବ୍ରାହ୍ମଣପଣ୍ଡିତ ହୋମଯଜ୍ଞ ସହ ସମସ୍ତ ନିତିକାନ୍ତି କରି ବରକନ୍ୟାଙ୍କ ହାତଗଣ୍ଠି ପକାଇଥିଲେ। ଶଙ୍ଖ,ହୁଳହୁଳି, କୀର୍ତ୍ତନର ତାଳେତାଳେ ପରିବେଶ କମ୍ପି ଉଠିଥିଲା। ଉଭୟ ପରିବାର ସମସ୍ତ ଖର୍ଚ୍ଚବହନ କରି ଏଭଳି ଏକ ମହତକର୍ମ କରିଥିବାରୁ ତାଙ୍କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି। ଏଭଳି ମାଙ୍ଗଳିକ କାର୍ଯ୍ୟରେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁକାନ୍ତି ବାଗ , ଅଜୟ ପରିଡା ଏବଂ ତାଙ୍କ ପରିବାର ସମେତ ପ୍ରଭାତ ପ୍ରଧାନ, ରାଜେନ୍ଦ୍ର ସାହୁ, ଯୋଗେଶ୍ୱର ସାହୁ ପ୍ରମୁଖ ବହୁ ବଦାନ୍ୟବ୍ୟକ୍ତିଙ୍କ ସହଯୋଗରେ ଏଭଳି ଏକ ପୂଣ୍ୟକାର୍ଯ୍ୟ ସମ୍ପନ୍ନ ହୋଇଛି।

You might also like