ଧାରଣାରତ ଶିକ୍ଷକଙ୍କ କଥା ବିଧାନସଭାରେ ଉଠିଲା     

ଭୁବନେଶ୍ବର, (ରାଜ୍ୟକାହାଣୀ)ଲୋୟର୍ ପିଏମଜିରେ ଧାରଣାରତ ଶିକ୍ଷକଙ୍କ ପ୍ରସଙ୍ଗ ବିଧାନସଭାରେ ଉଠିଛି। ରାଜରାସ୍ତାରେ ଶିକ୍ଷକମାନେ ଧାରଣା ଦେବା ଯୋଗୁଁ ସ୍କୁଲରେ ତାଲା ପଡ଼ିଛି। ଶିକ୍ଷକଙ୍କ ଦାବି ପୂରଣ କରି ଏଭଳି ଅଚଳାବାସ୍ଥା ଦୂର କରିବା ପାଇଁ ସୋମବାର ଶୂନ୍ୟକାଳରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଏହାର ସମାଧାନ ଦାବି କରିଛନ୍ତି। ରାଜ୍ୟରେ ବିଜେଡି ସରକାର କ୍ଷମତାକୁ ଆସିବା ପୂର୍ବରୁ ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିଲା। ଏବେ ସରକାରକୁ ଆସିବା ପରେ ସେମାନଙ୍କ ଦାବି କାହିଁକି ପୂରଣ କରୁନି ବୋଲି ପ୍ରଶ୍ନ କରିଛନ୍ତି। ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟ ଶିକ୍ଷକଙ୍କ ଦାବି ପୂରଣ କରିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।       ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ରାଜଧାନୀର ଗାନ୍ଧୀ ମାର୍ଗରେ ୪ ଦିନ ହେବ ଶୀତ କାକରରେ ହଜାର ହଜାର ଶିକ୍ଷକମାନେ ବସିଛନ୍ତି। ହେଲେ ସରକାର ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ପ୍ରାଥମିକ ଶିକ୍ଷକମାନଙ୍ଗର ଏକ ବଡ଼ ସଙ୍ଗଠନ ରହିଛି। ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ଏଥିରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୦-୫୦ ହଜାରରୁ ଅଧିକ ଶିକ୍ଷକ ରାଜରାସ୍ତାରେ ବସିଛନ୍ତି। ସେମାନଙ୍କର ପ୍ରମୁଖ ଦୁଇଟି ଦାବି ରହିଛି। ପ୍ରଥମତଃ ସେମାନଙ୍କ ଗ୍ରେଡ୍ ପେ ୨୨୦୦ରୁ ୪୨୦୦ ଟଙ୍କା କରିବା ଓ ଠିକା କାର୍ଯ୍ୟକାଳକୁ ଚାକିରିକାଳ ମଧ୍ୟରେ ମିଶାଇବା ପାଇଁ ଦାବି କରିଛନ୍ତି। ସରକାର ଏହି ଦାବିକୁ ୬ ଘଣ୍ଟା କିମ୍ୱା ୬ ଦିନ ମଧ୍ୟରେ ପୂରଣ କରିପାରିବେ। ମାତ୍ର ଏହାକୁ ବିଚାର କରିବାକୁ ୬ ମାସ ସମୟ ନେଇଛନ୍ତି। ସରକାର କଣ ପାଇଁ ସମୟ ଗଡ଼ାଉଛନ୍ତି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ସେହିହିରି କଂଗ୍ରେସ ବିଧାୟକ ପବିତ୍ର ସାଉଁତା ମଧ୍ୟ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ବିଜେପି ବିରୋଧୀ ଦଳରେ ଥିବା ବେଳେ ଯେଉଁ ଦାବିକୁ ସମର୍ଥନ କରୁଥିଲା, ସରକାରକୁ ଆସିବା ପରେ କାହିଁକି ପୂରଣ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଶିକ୍ଷକମାନେ ରାଜରାସ୍ତାରେ ବସିଛନ୍ତି। ସେମାନଙ୍କ ଦାବି ପୂରଣ ହେଉନାହିଁ। ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ଠିକା ବ୍ୟବସ୍ଥା ହଟି ସାରିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମଧ୍ୟ ୫୦ ହଜାର ଶିକ୍ଷକ ରାସ୍ତାରେ ବସିଛନ୍ତି। ଆଗକୁ ପରୀକ୍ଷା ଅଛି। ଏହି ସମୟରେ ସ୍କୁଲ ବନ୍ଦ ରହିଛି। ତେଣୁ ସରକାର ତୁରନ୍ତ ଏହି ଦାବି ଉପରେ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ସାଉଁତା ଶୂନ୍ୟକାଳରେ ଦାବି କରିଛନ୍ତି। 

You might also like