ଦିଲ୍ଲୀ ବାସଭବନ ନେଇ ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର (ରାଜ୍ୟକାହାଣୀ )ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବକୁ ନେଇ ପୁଣି ପ୍ରଶ୍ନ ଉଠାଇଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ସ୍ୱାଧୀନତା ପରଠାରୁ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ଏଭଳି ବାସଭବନ ନେଇ ନାହାନ୍ତି । କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାହିଁକି ଏଭଳି ବ୍ୟବସ୍ଥା କରାଯାଇଛି । ଯାହାର ଅର୍ଥ ଓଡ଼ିଶା ତହବିଲରୁ ଯାଉଛି , ଯାହା ଦ୍ୱାରା ଓଡ଼ିଶାର କ୍ଷତି ହେବ । ବିଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଲେ। ସେ ଦିଲ୍ଲୀ ଗଲେ ତାଙ୍କୁ ତ କେବେ ଆଉ ଗୋଟେ ଘର ଦରକାର ପଡୁନଥିଲା। ତେଣୁ ବିଜେଡ଼ି ଭାବୁଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ଓଡ଼ିଶା ବିରୁଦ୍ଧରେ ଓଡ଼ିଆ ଲୋକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ ହେବ। ଏହାସହ ଓଡ଼ିଶାରୁ ଗୋଟେ ପ୍ଲାଟୁନ ପୋଲିସ ନେବାର ଅର୍ଥ ଦିଲ୍ଲୀ ପୋଲିସ ଉପରେ ଓଡିଶା ସରକାରଙ୍କ ଭରସା ନାହିଁ। ଆଉ ଏହି ପୋଲିସ ଦିଲ୍ଲୀରେ ରହିବା ଦ୍ୱାରା ଓଡ଼ିଶା କ୍ଷତି ସହିବ। ତିନି ମୂର୍ତ୍ତି ଲେନରେ ବିଜେପିର ଗୋଟେ ଗୋଷ୍ଠୀ ଆଉ ଗୋଟେ ପାୱାର ସେଣ୍ଟର ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଏହାର ସ୍ପଷ୍ଟୀକରଣ ରଖନ୍ତୁ। ବିଜେପି ମଧ୍ୟ ଏହି ଅଭିଯୋଗର ଜବାବ ରଖୁ। ମୁଖ୍ୟମନ୍ତ୍ରୀ ନିଜେ ଉତ୍ତର ରଖୁନାହାନ୍ତି, କିଛି ସାମ୍ବାଦିକ ବିଜେପି ମୁଖପାତ୍ର ସାଜି ସୋସିଆଲ ମିଡ଼ିଆରେ ହିସାବ ରଖୁଛନ୍ତି। ଏହା କେଉଁ ଭଳି ସାମ୍ବାଦିକତା ।

You might also like