ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ  ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ

ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ଆଜି ଭାରତର ୫୩ତମ  ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନର  ମୁଖ୍ୟ ବିଚାରପତି ବି.ଆର୍‌. ଗୱାଇଙ୍କ ସ୍ଥାନରେ ୨୪ ନଭେମ୍ବର ୨୦୨୫ରୁ ଦାୟିତ୍ୱ ଗ୍ରହଣ କରିବେ।ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନିଯୁକ୍ତି ସିଜେଆଇ ଗୱାଇଙ୍କ ସୁପାରିସ ଅନୁଯାୟୀ ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ‘ଏକ୍ସ’ରେ ଘୋଷଣା କରି କହିଛନ୍ତି, ‘ଭାରତୀୟ ସମ୍ବିଧାନ ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ୨୪ ନଭେମ୍ବର ୨୦୨୫ରୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି।’ ଆଇନ ମନ୍ତ୍ରୀ ନୂଆ ସିଜେଆଇଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ମୁତାବକ, ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଘର ହରିୟାଣା ହୋଇଥିବା ବେଳେ ସେ ହିମାଚଳ ପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାମ କରିସାରିଛନ୍ତି। ଏହାପୂର୍ବରୁ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମଧ୍ୟ ବିଚାପତି ଭାବେ ନିଯୁକ୍ତି ପାଇଥିଲେ। ସେ ଗତ ୨୦୧୯ ମସିହା ମେ ମାସରେ ସୁପ୍ରିମ କୋର୍ଟରେ ଯୋଗଦେଇଥିଲେ। ନିଜର ତୀକ୍ଷ୍ଣ ନ୍ୟାୟିକ ଯୁକ୍ତି ଏବଂ ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱ ପାଇଁ ସେ ବେଶ୍ ଜଣାଶୁଣା। ସେ ପୂର୍ବରୁ ଅନେକ ସମ୍ବିଧାନିକ ମାମଲା ଏବଂ ଶାସନ ସମ୍ବନ୍ଧୀୟ ପ୍ରମୁଖ ନିଷ୍ପତ୍ତି ସାଙ୍ଗକୁ ପରିବେଶ ପ୍ରସଙ୍ଗ ଏବଂ ସାମ୍ବିଧାନିକ ବ୍ୟାଖ୍ୟା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି ସାରିଛନ୍ତି।

ଭାରତର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ୧୪ ମାସ ପାଇଁ ଦାୟିତ୍ତ୍ୱ ଦିଆଯାଇଛି। ବର୍ତ୍ତମାନର ନ୍ୟାୟପାଳିକାର ମୁଖ୍ୟ ପ୍ରଧାନ ବିଚାରପତି ବି.ଆର. ଗଭାଇ ୨୩ ନଭେମ୍ବର, ୨୦୨୫ରେ ନିଜ ପଦବୀରୁ ବିଦାୟ ନେବାକୁ ଯାଉଛନ୍ତି।

You might also like