କୁକୁର ନାଁରେ ଆବାସିକ ପ୍ରମାଣପତ୍ର
କୁକୁର ନାଁରେ ଆବାସିକ ପ୍ରମାଣପତ୍ର । ପ୍ରମାଣପତ୍ରରେ କୁକୁରର ବାପା ମା’ଙ୍କ ନାଁ ବି ଲେଖାଯାଇଛି । କୁକୁରର ନାଁ ରହିଛି ‘ଡଗ ବାବୁ’ । ବିହାରରୁ ସାମ୍ନାକୁ ଆସିଛି ଏମିତି ଘଟଣା । ବିହାରରେ ନିର୍ବାଚନ କମିସନଙ୍କ ଦ୍ୱାରା ଚାଲିଥିବା ଭୋଟର ତାଲିକା ସଂଶୋଧନ ଅଭିଯାନ ସମୟରେ ଆବାସ ପ୍ରମାଣପତ୍ର ପାଇଁ ଆବେଦନ କରାଯାଉଛି । ଏହାରି ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି । ପାଟଣା ମସୌଢ଼ି ବ୍ଲକ୍ରେ ଏକ କୁକୁରକୁ ଆବାସିକ ପ୍ରମାଣପତ୍ର ଜାରି କରାଯାଇଛି । ଆରଟିପିଏସ୍ କାଉଣ୍ଟର ଜରିଆରେ ଜାରି ହୋଇଥିବା ଏହି ଆବାସିକ ପ୍ରମାଣପତ୍ରରେ ଏକ କୁକୁରର ଫଟୋ ଲଗାଇ ତା’ର ନାମ ଓ ଠିକଣା ଉଲ୍ଲେଖ କରାଯାଇଛି ।ଏହି ଘଟଣା ସାମ୍ନାକୁ ଆସିବା ପରେ ତୁରନ୍ତ କୁକୁରର ଆବାସିକ ପ୍ରମାଣପତ୍ରକୁ ରାଜସ୍ବ ବିଭାଗ ରଦ୍ଦ କରିଛି । ରାଜସ୍ୱ ଅଧିକାରୀଙ୍କ ଦସ୍ତଖତ ମଧ୍ୟ କଢ଼ାଯାଇଛି । ୨୪ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାଟଣା ଜିଲ୍ଲାପାଳ ତ୍ୟାଗରାଜନ ଏସଏମ ଏହାକୁ ଗୁରୁତ୍ବର ସହ ନେଇଛନ୍ତି । ଘଟଣାରେ ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଏଫଆଇଆର ଦାଏର ସହ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପାଟଣା ଜିଲ୍ଲାପାଳ ।