ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ ;ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦାନ ଲକ୍ଷ୍ୟ: ଡିଜିପି

ଭୁବନେଶ୍ୱର (ରାଜ୍ୟକାହାଣୀ )୭୭ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଓଡ଼ିଶା ପୁଲିସ ପକ୍ଷରୁ ଗୁରୁବାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ନିକଟସ୍ଥ ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶର ଉପକୂଳ ସୁରକ୍ଷାରେ ନିରନ୍ତର ସେବା ଯୋଗାଉଥିବା ସୁରକ୍ଷା ବାହିନୀଙ୍କ ସାହସ, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।ଏହି ଅବସରରେ ସମୁଦ୍ର ତଟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ ଆଧୁନିକ କରିବା ପାଇଁ ଓଡ଼ିଶା ପୋଲିସ ତରଫରୁ ଦୀର୍ଘ ମିଆଦି ଯୋଜନା ଆରମ୍ଭ କରାଯାଇଛି ବୋଲି ଡିଜିପି ସୂଚନା ଦେଇଥିଲେ । ଏଥି ନିମନ୍ତେ ଚଳିତ ବର୍ଷ ରାଜ୍ୟ ସରକାର ବାର୍ଷିକ ବଜେଟରେ ୧୪୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ୨୦୨୪ମସିହା ନଭେମ୍ବରରେ ଓଡ଼ିଶାରେ ଆୟୋଜିତ ସର୍ବଭାରତୀୟ ଆରକ୍ଷୀ ମହାନିର୍ଦ୍ଦେଶକ ସମ୍ମିଳନୀ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପକୂଳ ରାଜ୍ୟ ଗୁଡ଼ିକର ଜନବସତି ବିହୀନ ଦ୍ୱୀପ ଗୁଡ଼ିକରେ ସାଧାରଣତନ୍ତ୍ର ଦିବସ କିମ୍ବା ତାହା ପୂର୍ବ ଦିନ ଜାତୀୟ ପତାକା ଉତ୍ତୋଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଜନବସତି ବିହୀନ ଉପକୂଳ ଦ୍ୱୀପକୁ ଚିହ୍ନଟ କରି ସେଠାରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ଆଗାମୀ ତିନି ଦିନ ମଧ୍ୟରେ କନିକା ସ୍ୟାଣ୍ଡସ, ଲଙ୍ଗ ହ୍ଵିଲର (ବାବୁବାଲି), କୋକୋନଟ ହ୍ଵିଲର, ସ୍ମଲ ହ୍ଵିଲର, ନୟାଟାପୁ, ବୁଦ୍ଧିଆବାଲି, କେନ୍ଦ୍ରାପଡ଼ା ଜିଲ୍ଲାର ହୁକିଟୋଲା ଦ୍ଵୀପ, କାଦୁଆପାଳ, ଧାନୀଛଡା ଏବଂ ପୁରୀ ଜିଲ୍ଲାର ପାରିକୁଦ, ନଳବଣ, କାଳିଜାଇ ଦ୍ଵୀପରେ ଜାତୀୟ ପତାକା ଉତ୍ତୋଳନ ନିମନ୍ତେ ଯୋଜନା ରହିଛି ।

You might also like