ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ !
ରାଜ୍ୟକାହାଣୀ ( ଭୁବନେଶ୍ୱର )ନୂଆପଡ଼ା ଉପନିର୍ବାଚନ ଲାଗି ଚାଲିଥିବା ପ୍ରଚାର ରବିବାର ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ମଙ୍ଗଳବାର ସକାଳେ ମତଦାନ ଆରମ୍ଭ ହେବାକୁ ଥିବାରୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଲଗାଯାଇଥିବା କଟକଣା ମୁତାବକ ସବୁ ଦଳ ସେମାନଙ୍କ ପ୍ରଚାର ବନ୍ଦ କରିଛନ୍ତି। ଏଥର ନୂଆପଡ଼ା ୨୮ ବର୍ଷ ପରେ ପୁଣି ଉପନିର୍ବାଚନ ଦେଖୁଛି । ନିର୍ବାଚନରେ ଘମାଘୋଟ୍ ଭୋଟ୍ ଲଢ଼େଇ ଚାଲିଛି । ଅନ୍ୟପଟେ ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ମଳ କରିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ଉଦ୍ୟମ ଚଳାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ପାଟ୍ରୋଲିଂ ବ୍ୟବସ୍ଥା ସୁଦୃଢ କରିଛି ପୁଲିସ ବାହିନୀ । ସୀମାନ୍ତ ଅଞ୍ଚଳରେ ପୁଲିସ ପ୍ରଶାସନ ତରଫରୁ ଯାନବାହନ ଆଦି ଯାଞ୍ଚ କରାଯାଉଛି । ନୂଆପଡ଼ାରେ ୪୭ଟି ସମ୍ୱେଦନଶୀଳ ବୁଥ୍ ଅଛି । ସବୁ ବୁଥ୍ରେ ପୁଲିସ ବ୍ୟବସ୍ଥା ହୋଇଛି । କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ମୁତୟନ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍ ଗୋପାଳନ କହିଛନ୍ତି ।
ମଙ୍ଗଳବାର ନୂଆପଡ଼ା ଭୋଟ୍ ନେଇ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୋଟ୍ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର୍। ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ଓ ପୁରୁଷଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮ । ନିର୍ବାଚନ ମଣ୍ଡଳୀରେ ଥିବା ମୋଟ ୩୫୮ଟି ବୁଥ୍ ଭିତରୁ ୪୭ଟି ସମ୍ୱେଦନଶୀଳ ଓ ୮ଟିକୁ ଅତି ସମ୍ୱେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ମାଓପ୍ରବଣ ଏହି ୮ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି । ଏହିସବୁ ବୁଥ୍କୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । ତେବେ ଆଜି ବିଭିନ୍ନ ମତଦାନ କେନ୍ଦ୍ର ଗୁଡ଼ିକରେ ପହଁଚିବେ ପୁଲିଂ ପାର୍ଟି । ସମ୍ବେଦନଶୀଳ ୮ଟି ବୁଥକୁ ସ୍ବତନ୍ତ୍ର ହେଲିକପ୍ଟରରେ ଯିବାର ବ୍ୟବସ୍ଥା କରାଯାଇଛି । ଇଭିଏମରେ କିପରି ମତଦାନ କରାଇବେ ପୁଲିଂ ଅଧିକାରୀଙ୍କୁ ସେନେଇ ପ୍ରଶିକ୍ଷଣ ଦିଆଯାଇଛି । ମତଦାନ ଦିନ ଅପରାହ୍ନ ୫ଟା ଯାଏଁ ଭୋଟିଂ ପ୍ରକ୍ରିୟା ଜାରି ରହିବ । ସମ୍ବେଦନଶୀଳ ବୁଥରେ ୪ଟା ଯାଏ ହେବ ଭୋଟ୍। ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାକର୍ମୀ ସୁରକ୍ଷା ଯୋଗାଇଦେବେ ।