ଆଜି ଘୂର୍ଣ୍ଣିବଳୟ, ୧ରେ ଲଘୁଚାପ

ଭୁବନେଶ୍ୱର (ରାଜ୍ୟ କାହାଣୀ)ବର୍ତ୍ତମାନ ରାଜ୍ୟରେ ହାଲୁକା ବର୍ଷା ଲାଗି ରହିଥିଲେ ମଧ୍ୟ ଦୁର୍ଗାପୂଜା ପାଇଁ ପ୍ରାୟତଃ ପାଗ ଅନୁକୂଳ ରହିଛି। ହେଲେ ଆଗକୁ ପାଗରେ ପରିବର୍ତ୍ତନ ଦେଖାଦେବ। ତେବେ ମଙ୍ଗଳବାର ଅଷ୍ଟମୀରେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ନବମୀରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ମଙ୍ଗଳବାରଠୁ ବର୍ଷା ବଢ଼ିବ। ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲାରେ ଘଡ଼ଘଡ଼ି ସହ ଅଧିକ ବର୍ଷା ସମ୍ଭାବନା ଅଛି। ସେହିପରି ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝରରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ୪ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।

You might also like