ଅଳିଆ ଉଠାଇବାକୁ ଏଣିକି ବିଏମସି ନେବ ୟୁଜର ଫି

ଭୁବନେଶ୍ୱର (ରାଜ୍ୟକାହାଣୀ )ନୂଆବର୍ଷରେ ସହରବାସୀଙ୍କ ଉପରେ ୟୁଜର୍‌ ଫି’ ବୋଝ ଲଦିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଏଣିକି ଅଳିଆ ଦେବେ, ଟଙ୍କା ଗଣିବେ ରାଜଧାନୀବାସୀ। ଘର, ହୋଟେଲ, ସପିଂ ମଲ, କାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢ଼ାବା, କ୍ଲାଉଡ୍ କିଚେନ, ଗୋଦାମ, ରୋଡ୍ ସାଇଟ ଭେଣ୍ଡର, ଗେଷ୍ଟ ହାଉସ, ହଷ୍ଟେଲରୁ ୟୁଜର ଫି ଆଦାୟ ହେବ। ୨୦୧୮ ବାଇ ଲ’ ଅନୁସାରେ ଫି ଆଦାୟ କରାଯିବ। ଆବାସିକ ଘର, ଦୋକାନ, ହୋଟେଲ ଓ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଫି ଧାର୍ଯ୍ୟ କରାଯାଇଛି। ଏଲଆଇଜି ଓ ଇଡବ୍ଲୁଏସ୍ ଘରେ ରହୁଥିଲେ ମାସିକ ୫୦ ଟଙ୍କା ଦେବେ। ସେହିଭଳି ୮୦୦ ବର୍ଗ ଫୁଟରୁ ଅଧିକ ଏମଆଇଜି କିମ୍ବା ଅନ୍ୟ ଘର ରହୁଥିବା ଲୋକେ ୭୫ ଟଙ୍କା ଦେବେ ୟୁଜର ଫି।

ବ୍ୟବସାୟିକ ଅନୁଷ୍ଠାନ ପାଇଁ ପରିମାଣ ଅଧିକ ରହିଛି। ଏବାବଦରେ ସଫା ଆପ୍ କିମ୍ବା ବିଏମସି ସ୍ୱତନ୍ତ୍ର ହ୍ବାଟସ ଆପ୍ ନମ୍ବର 7653011832ରେ ଅଧିକ ସୂଚନା ପାଇ ପାରିବେ ରାଜଧାନୀବାସିନ୍ଦା।ସେହିଭଳି ଏଥର ସ୍ବଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ସହର ଭାବେ ଗଢ଼ିତୋଳିବା ପାଇଁ ମେୟର ବିଏମ୍‌ସି ପକ୍ଷରୁ ଲୋକଙ୍କ ସହଯୋଗ କାମନା କରିଛନ୍ତି। ସ୍ବଚ୍ଛ ପରିବେଶ ସହ ସ୍ବଚ୍ଛ ବାୟୁ ଆମ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡିଛି। ସେଥିପାଇଁ ବିଏମ୍‌ସି ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନ୍‌ସିଏପି)ର ନିୟମ ଅନୁଯାୟୀ ବିଭିନ୍ନ ପଦକ୍ଷେପ ନେଉଛି। ଏହିକ୍ରମରେ ସ୍ବଚ୍ଛସାଥୀମାନେ ନିଜ ୱାର୍ଡରୁ ୨୦୧୮ ମସିହାରେ ବିଏମ୍‌ସି ଦ୍ୱାରା ଧାର୍ଯ୍ୟ ୟୁଜର ଫି’ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

You might also like